କୃଷକଙ୍କ ଆନ୍ଦୋଳନକୁ ପୂରିଲା ବର୍ଷେ, ଗାଜିପୁର ସୀମାରେ ଚାଷୀଙ୍କ ବିଶାଳ ସମାଗମ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବହୁ ସଂଖ୍ୟକ କୃଷକ ଦିଲ୍ଲୀ ସୀମା ଆଡକୁ ମୁହାଁଇଛନ୍ତି। ଦିଲ୍ଲୀର ଗାଜୀପୁରରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଛନ୍ତି। ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ କୃଷକ ସଂଗଠନଗୁଡ଼ିକ ଏକଜୁଟ ହେବା ଦୃଷ୍ଟିରେ ରଖି ବର୍ତ୍ତମାନ ଦିଲ୍ଲୀ ସୀମାରେ ବହୁ ସଂଖ୍ୟାରେ ବ୍ୟାରିକେଡ୍ ଲଗାଯିବା ସହିତ ସୁରକ୍ଷା ବଳ ମୁତୟନ ମଧ୍ୟ ବୃଦ୍ଧି କରାଯାଇଛି।

ଆଇନକୁ ନିଜ ହାତକୁ ନ ନେବାକୁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ନିବେଦନ କରିଛି। ଦିଲ୍ଲୀ ପୋଲିସର ପିଆରଓ ଚିନ୍ମୟ ବିଶ୍ବାଳ କହିଛନ୍ତି – ନଭେମ୍ବର ୨୬ରେ ଚାଷୀଙ୍କ ଦ୍ବାରା ଦିଆଯାଇଥିବା ଡ଼ାକରା ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ପୋଲିସ ସହ ସହଯୋଗ କରିବାକୁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ।

ସୂଚନାଯୋଗ୍ୟ ଯେ, ବିବାଦୀୟ ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗୋଟିଏ ବର୍ଷ ପୂରଣ ଅବସରରେ ଦିଲ୍ଲୀର ସୀମାରେ ଏକାଠି ହେବାକୁ କୃଷକ ସଂଗଠନ ଘୋଷଣା କରିସାରିଛନ୍ତି। ପଞ୍ଜାବର ହରିୟାଣାର ବହୁ ସଂଖ୍ୟକ କୃଷକ ମଧ୍ୟ ଦିଲ୍ଲୀ ସୀମାରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି ।

Comments are closed.