ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୪୯ ଆସନରେ ଚାଲିଛି ଭୋଟ ଗ୍ରହଣ; ରାଜନାଥ, ସ୍ମୃତି, ରାହୁଲଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ସୋମବାର (ମେ ୨୦) ଆରମ୍ଭ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଆସନରେ ହେଉଛି ଭୋଟ ଗ୍ରହଣ। ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗ ୭, ଓଡ଼ିଶାର ୫, ବିହାର ୫, ଝାଡ଼ଖଣ୍ଡ ୩, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଗୋଟିଏ ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ଅଧୀନ ୩୪ ବିଧାନସଭା ଆସନ ପାଇଁ ମଧ୍ୟ ସୋମବାର ମତଦାନ ଜାରି ରହିଛି।

ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ରାଜନାଥ ସିଂହ, ସ୍ମୃତି ଇରାନୀ ଏବଂ ପୀୟୁଷ ଗୋୟଲଙ୍କ ସହ ୯ ଜଣ କେନ୍ଦ୍ରମନ୍ତ୍ରୀ ମଇଦାନରେ ଅଛନ୍ତି। ଏହାଛଡ଼ା ରାଏବରେଲିରେ ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଏହି ପର୍ଯ୍ୟାୟରେ ହେବ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପଞ୍ଚମ ପର୍ଯ୍ୟାୟରେ ସର୍ବମୋଟ ୬୯୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୧୩ ଜଣ ପୁରୁଷ ଏବଂ ୮୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ମୁତାବକ, ଏହି ପର୍ଯ୍ୟାୟରେ ୨୩% ଅର୍ଥାତ୍ ୧୫୯ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୨୨୭ ଜଣ ଅର୍ଥାତ୍ ୩୩% ପ୍ରାର୍ଥୀ କୋଟିପତି। କେବଳ ଜଣେ ପ୍ରାର୍ଥୀ ତାଙ୍କର କୌଣସି ସମ୍ପତ୍ତି ନାହିଁ ବୋଲି ଘୋଷଣା କରିଛନ୍ତି।

ଏହି ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ୟୁପିର ଝାନସୀ ଆସନରୁ ବିଜେପି ପ୍ରାର୍ଥୀ ଅନୁରାଗ ଶର୍ମା। ସେ ୨୧୨ କୋଟି ସମ୍ପତ୍ତିର ମାଲିକ।

ପଞ୍ଚମ ପର୍ଯ୍ୟାୟରେ ଯେଉଁ ୪୯ ଆସନରେ ମତଦାନ ହେବ ସେଥିମଧ୍ୟରୁ ୨୦୧୯ରେ ବିଜେପି ସର୍ବାଧିକ ୩୨ଟି ଆସନ ଜିତିଥିବା ବେଳେ ଶିବସେନା ୭ ଏବଂ ଟିଏମସି ୪ଟିରେ ବିଜୟୀ ହୋଇଥିଲା । କଂଗ୍ରେସ କେବଳ ୟୁପିର ରାଏବରେଲି ଆସନ ଜିତିଥିଲା । ଅନ୍ୟମାନେ ୫ଟି ସିଟ୍ ପାଇଥିଲେ।

୫୪୩ ଲୋକସଭା ଆସନ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ୩୮୦ଟି ଆସନରେ ମତଦାନ ହୋଇସାରିଛି। ମେ ୨୦ରେ ପଞ୍ଚମ ପର୍ଯ୍ୟାୟ ପରେ ୪୨୯ ଆସନରେ ଭୋଟିଂ ପ୍ରକ୍ରିୟା ଶେଷ ହେବ। ଅବଶିଷ୍ଟ ୨ଟି ପର୍ଯ୍ୟାୟରେ ୧୧୪ ଆସନରେ ହେବ ଭୋଟ୍ ଗ୍ରହଣ।

Comments are closed.