ଫିନଲ୍ୟାଣ୍ଡ୍ ବିଶ୍ବର ସବୁଠୁ ସୁଖୀ ଦେଶ, ଆଫଗାନିସ୍ତାନ, ଲେବାନନ୍ ସବୁଠୁ ଦୁଃଖୀ

ହେଲସିଙ୍କି: ଫିନଲ୍ୟାଣ୍ଡ ବିଶ୍ବର ସବୁଠୁ ସୁଖୀ ଦେଶ ଭାବେ ବିବେଚିତ ହୋଇଛି। ଲଗାତାର ପଞ୍ଚମ ବର୍ଷ ପାଇଁ ଫିନଲ୍ୟାଣ୍ଡ ଏହି ସଫଳତା ହାସଲ କରିଛି | ଆଫଗାନିସ୍ତାନକୁ ପୁଣିଥରେ ସବୁଠାରୁ ଦୁଃଖୀ ଦେଶର ଆଖ୍ୟା ମିଳିଛି। ଆଫଗାନିସ୍ତାନ ପରେ ଲେବାନନ୍ ରହିଛି। ଲେବାନନ୍ ଏକ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଦେଶ | ଜାତିସଂଘ ଦ୍ୱାରା ପ୍ରାୟୋଜିତ ବାର୍ଷିକ ‘ଓ୍ବାର୍ଲ୍ଡ ହାପିନେସ୍ ଇଣ୍ଡେକ୍ସ’ରେ ଏହି ଦେଶଗୁଡିକ ସେମାନଙ୍କ ର଼୍ୟାଙ୍କିଙ୍ଗ ଅନୁସାରେ ସ୍ଥାନିତ କରାଯାଇଛି |

ସର୍ବିଆ, ବୁଲଗେରିଆ ଏବଂ ରୋମାନିଆ ‘ହାପିନେସ୍ ଇଣ୍ଡେକ୍ସ’ ରେ ସର୍ବାଧିକ ଉନ୍ନତି କରିଛନ୍ତି | ଶୁକ୍ରବାର ପ୍ରକାଶିତ ‘ଓ୍ବାର୍ଲ୍ଡ ହାପିନେସ୍ ଇଣ୍ଡେକ୍ସ’ରେ ଲେବାନନ୍, ଭେନେଜୁଏଲା ଏବଂ ଆଫଗାନିସ୍ତାନର ସବୁଠାରୁ ବଡ ପତନ ହୋଇଛି | ୧୪୬ଟି ଦେଶ ମଧ୍ୟରେ ଏହି ସୂଚକାଙ୍କରେ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଥିବା ଲେବାନନ୍ ଜିମ୍ବାୱେଠାରୁ ତଳ ଆଡୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି।

ଗତ ଅଗଷ୍ଟରେ ତାଲିବାନ ପୁଣି କ୍ଷମତାକୁ ଆସିବା ପରଠାରୁ ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରେ ମାନବୀୟ ସଙ୍କଟ ଆହୁରି ଉତ୍କଟ ହୋଇଛି । ମିଳିତ ଜାତିସଂଘର ୟୁନିସେଫ୍ ଆକଳନ କରିଛି ଯେ ସହାୟତା ପ୍ରଦାନ ନକଲେ ଆଫଗାନିସ୍ତାନର ପାଞ୍ଚ ବର୍ଷରୁ କମ୍ ପ୍ରାୟ ଏକ ଲକ୍ଷ ପିଲାଙ୍କର ଏହି ଶୀତ ଋତୁରେ ଭୋକରେ ମୃତ୍ୟୁ ହୋଇପାରେ।

ଯୁଦ୍ଧ କିଭଳି ଉଭୟ ଭୌତିକ ଓ ଅଭୌତିକ ସ୍ତରରେ ଲୋକଙ୍କ କ୍ଷତି ଘଟାଏ ଏହି ସୂଚକାଙ୍କ ତା’ର ଏକ ନିଚ୍ଛକ ଉଦାହରଣ ବୋଲି ସହଲେଖକ ଜାନ-ଇମାନୁଏଲ୍ ଡି ନେଭ୍ କହିଛନ୍ତି ।

ଏହାର ଦଶମ ବର୍ଷରେ ପଦାର୍ପଣ କରିଥିବା ‘ଓ୍ବାର୍ଲ୍ଡ ହାପିନେସ୍ ରିପୋର୍ଟର ଲୋକଙ୍କ ଖୁସିର ମୂଲ୍ୟାୟନ ସହ ଅର୍ଥନୈତିକ ଏବଂ ସାମାଜିକ ତଥ୍ୟ ଉପରେ ଆଧାରିତ | ତିନିବର୍ଷ ଅବଧିର ହାରାହାରି ତଥ୍ୟକୁ ଭିତ୍ତି କରି ଏହା ଶୂନରୁ ୧୦ ସ୍କେଲରେ ଦେଶମାନଙ୍କୁ ଖୁସି ସ୍କୋର ପ୍ରଦାନ କରିଥାଏ | ରୁଷର ୟୁକ୍ରେନ ଆକ୍ରମଣ ପୂର୍ବରୁ ‘ଓ୍ବାର୍ଲ୍ଡ ହାପିନେସ୍ ଇଣ୍ଡେକ୍ସ’ରେ ଏହି ସଦ୍ୟତମ ରିପୋର୍ଟ ସମ୍ପୂର୍ଣ୍ଣ ହୋଇସାରିଥିଲା |

Comments are closed.