ପେଟ୍ରୋଲ ପମ୍ପରେ ଲୋକଙ୍କୁ ଚା’ ପରଷୁଛନ୍ତି ଶ୍ରୀଲଙ୍କାର ବିଶ୍ବକପ୍ ବିଜୟୀ କ୍ରିକେଟର୍

କଲମ୍ବୋ : ୧୯୪୮ ମସିହାରେ ବ୍ରିଟେନରୁ ସ୍ବାଧୀନତା ପାଇବା ପରଠାରୁ ଶ୍ରୀଲଙ୍କା ଏହାର ଇତିହାସରେ ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଗତ ବର୍ଷ ଶେଷ ପରଠାରୁ ଦେଶରେ ଖାଦ୍ୟ, ଔଷଧ ଏବଂ ଇନ୍ଧନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ମୁଦ୍ରାସ୍ଫୀତି ମଧ୍ୟ ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଏସବୁ ମଧ୍ୟରେ ଶ୍ରୀଲଙ୍କାର କ୍ରିକେଟ୍ ଦଳର ପୂର୍ବତନ ଓପନର୍ ରୋଶନ ମହାନାମା ପେଟ୍ରୋଲ ପମ୍ପରେ ଲୋକଙ୍କୁ ଚା’ ଓ ବନ୍ ପରଷୁଥିବା ଦେଖିବାକୁ ମିଳିଛି । ୧୯୯୬ରେ ବିଶ୍ୱକପ ବିଜୟୀ ଶ୍ରୀଲଙ୍କା କ୍ରିକେଟ୍ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ ମହାନାମା।

ରୋଶନ ମହାନାମା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ପେଟ୍ରୋଲ ପମ୍ପ ବାହାରେ ଲାଇନରେ ଛିଡା ହୋଇଥିବା ଲୋକଙ୍କୁ ଚା ’ପରଷୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଲୋକମାନେ ତାଙ୍କୁ ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରୁଛନ୍ତି | ଫଟୋ ଗୁଡ଼ିକର କ୍ୟାପସନରେ ରୋଶନ ମହାନାମା ଲେଖିଛନ୍ତି, ‘ଆମେ କମ୍ୟୁନିଟି ମିଲ୍ ସେୟାର୍ ଟିମ୍ ସହିତ ଆଜି ସନ୍ଧ୍ୟାରେ ୱାର୍ଡ ପ୍ଲେସ୍ ଏବଂ ଭିଜେରାମା ମାଉଥାର ପେଟ୍ରୋଲ୍ ପମ୍ପ ବାହାରେ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ଚା’ ଏବଂ ବନ୍ ପରଷିଛୁ।

ସେ ଆହୁରି ଲେଖିଛନ୍ତି, ‘ ଦିନକୁ ଦିନ ଲୋକଙ୍କ ଏପରି ଲାଇନ୍ ବଢିବାରେ ଲାଗିଛି। ଏପରି ଧାଡିରେ ଠିଆ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ରିସ୍କ ଅଛି ! ’ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି, ‘ଦୟାକରି ପେଟ୍ରୋଲ ପାଇଁ ଲାଇନରେ ଛିଡ଼ା ହୋଇଥିବା ଲୋକମାନେ ପରସ୍ପରର ଯତ୍ନ ନିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଏବଂ ଖାଦ୍ୟ ଆଣନ୍ତୁ | ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ଦୟାକରି ଆପଣଙ୍କ ନିକଟତମ ବ୍ୟକ୍ତିଙ୍କ ପାଖକୁ ଯାଇ ସାହାଯ୍ୟ ମାଗନ୍ତୁ କିମ୍ବା ୧୯୯୦କୁ କଲ କରନ୍ତୁ | ଏହି ଦୁର୍ଦ୍ଦିନର ସମୟରେ ଆମେ ପରସ୍ପରର ଯତ୍ନ ନେବା ଆବଶ୍ୟକ |”

ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଏବେ ଅସମର୍ଥ। ଦେଶରେ ଦୀର୍ଘ ଦିନ ଧରି ବିଦ୍ୟୁତ୍ ସଙ୍କଟ ମଧ୍ୟ ଦେଖାଦେଇଛି | ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲ ପାଇଁ ମଧ୍ୟ ମାରପିଟ୍ ଚାଲିଛି। ପେଟ୍ରୋଲ ପମ୍ପରେ ଲମ୍ବା ଧାଡି ଦେଖିବାକୁ ମିଳୁଛି | ମୌଳିକ ଆବଶ୍ୟକତା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ବ୍ୟତୀତ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି |

କଲମ୍ବୋରେ ୩୧ ମଇ ୧୯୬୬ରେ ଜନ୍ମଗ୍ରହଣ କରିଥିବା ରୋଶନ ମହାନାମା ଶ୍ରୀଲଙ୍କା ପାଇଁ ୫୨ଟି ଟେଷ୍ଟ ଏବଂ ୨୧୩ଟି ଦିନିକିଆ ଖେଳିଛନ୍ତି। ସେ ଟେଷ୍ଟରେ ୨୫୭୬ ରନ୍ ଏବଂ ଦିନିକିଆରେ ୫୧୬୨ ରନ୍ କରିଛନ୍ତି | ସେ ୪ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଦିନିକିଆ ଶତକ ହାସଲ କରିଛନ୍ତି | ମାହାନାମାଙ୍କ ନାଁରେ ଟେଷ୍ଟରେ ୧୧ଟି ଏବଂ ଦିନିକିଆରେ ୩୫ଟି ଅର୍ଦ୍ଧଶତକ ରହିଛି। ୧୯୯୯ ବିଶ୍ୱକପ ପରେ ରୋଶନ ମହାନାମା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

Comments are closed.