ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଦିଲ୍ଲୀର ଏସ୍‌ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।

ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ବିଜେପିର ଏହି ବରିଷ୍ଠ ନେତା ଜୁଲାଇ ୪ରୁ ଦିଲ୍ଲୀର ଏସ୍‌ପିଜିଆଇରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କଲ୍ୟାଣ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।

କଲ୍ୟାଣ ସିଂହ ଉତ୍ତର ପ୍ରଦେଶରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ସେ ଦୁଇଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପ୍ରଥମ କାର୍ଯ୍ୟକାଳ ବାବ୍ରି ମସଜିଦ୍ ଭଙ୍ଗା ଘଟଣା ପାଇଁ ବିବାଦୀୟ ରହିଥିଲା । ଡିସେମ୍ବର ୬, ୧୯୯୨ରେ କରସେବକଙ୍କ ଦ୍ୱାରା ବାବ୍ରି ମସଜିଦ୍ ଭଙ୍ଗାଯିବା ଘଟଣାରେ କଲ୍ୟାଣ ସିଂହଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ସତ୍ତ୍ୱେ ସେ କରସେବକଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇନଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

କଲ୍ୟାଣ ସିଂହ ପୁଣି ୧୯୯୭ରେ ଦ୍ୱିତୀୟ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୨୦୦୯ରେ ବିଜେପି ଛାଡ଼ି ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ । ତା’ ପରବର୍ଷ ସେ ‘ଜନକ୍ରାନ୍ତି ପାର୍ଟି’ ଭାବେ ନିଜର ଏକ ଦଳ ଗଢ଼ିଥିଲେ । ୨୦୧୪ରେ କଲ୍ୟାଣ ସିଂହ ପୁଣି ବିଜେପିକୁ ଫେରିଥିଲେ ଏବଂ ସେହି ବର୍ଷ ତାଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ସେ କାର୍ଯ୍ୟକାଳ ଶେଷ ଯାଏଁ ଅର୍ଥାତ୍ ୨୦୧୯ ଯାଏଁ ଏହି ପଦରେ ରହିଥିଲେ ।

Comments are closed.