କଂଗ୍ରେସ ସଭାପତି ପଦ ଦୌଡ଼ରେ ଗେହଲୋଟ୍-ଥରୁର !

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଦଳର ଦୁଇ ଭେଟେରାନ ନେତାଙ୍କ ମଧ୍ୟରେ ଲଢ଼େଇ ହୋଇପାରେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର ଏହି ହାଇ ପ୍ରୋଫାଇଲ୍ ପଦ ପାଇଁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି । ସୂଚନାନୁସାରେ, ଗେହଲୋଟ୍ ସେପ୍ଟେମ୍ବର ୨୬ ରୁ ୨୮ ମଧ୍ୟରେ ଯେକୌଣସି ସମୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିପାରନ୍ତି | ଅନ୍ୟପକ୍ଷରେ ଥରୁର ମଧ୍ୟ ସୋମବାର ସୋନିଆ ଗାନ୍ଧୀଙ୍କୁ ଭେଟି ମଇଦାନକୁ ଓହ୍ଲାଇବ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୂଚନାନୁସାରେ, ଥରୁର ସୋମବାର ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନ ଲଢ଼ିବାକୁ ଅନୁମତି ମାଗିଥିଲେ। ସୋନିଆ ତାଙ୍କୁ ଏଥିପାଇଁ ସବୁଜ ସଙ୍କେତ ଦେଇଥିବା ଦଳୀୟ ସୂତ୍ରରୁ ପ୍ରକାଶ ।

ଯଦି ଗେହଲୋଟ୍ ଏବଂ ଥରୁର ମଧ୍ୟରେ ପ୍ରତିଦ୍ବନ୍ଦିତା ହୁଏ, ତେବେ ୩୦ ବର୍ଷ ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଜଣେ ପ୍ରାର୍ଥୀଙ୍କ ହାତରେ ଦଳର କମାଣ ରହିବ। ଏହାପୂର୍ବରୁ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ସୀତାରାମ କେଶରୀ ଦଳର ସଭାପତି ନିର୍ବାଚନ ଜିତିଥିଲେ।

କଂଗ୍ରେସ ସଭାପତି ନିର୍ବାଚନ ଏପରି ଏକ ସମୟରେ ହେଉଛି ଯେତେବେଳେ କି କପିଲ ସିବଲ, ଜୟବୀର ଶେରଗିଲ, ସୁନୀଲ ଜାଖର, ଅମରିନ୍ଦର ସିଂ, ଆରପିଏନ ସିଂ, ଅଶ୍ୱିନୀ କୁମାର ଏବଂ ହାର୍ଦ୍ଦିକ ପଟେଲଙ୍କ ସହ ବହୁ ଭେଟେରାନ ନେତା ଦଳରୁ ବିଦାୟ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ନାମ ହେଉଛି ଗୁଲାମ ନବୀ ଆଜାଦ, ଯିଏ ଦଳ ଛାଡି କଂଗ୍ରେସରେ ଗାନ୍ଧୀ ପରିବାରର ଏକଚାଟିଆ ରାଜୁତି ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ।

ସେପ୍ଟେମ୍ବର ୨୨ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ। ସେପ୍ଟେମ୍ବର ୨୪ ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ। ନିର୍ବାଚନ ପ୍ରକ୍ରିୟା ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୮ | ଅକ୍ଟୋବର ୧୭ରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।

Comments are closed.