ତୈଳଦର ବୃଦ୍ଧିରୁ ମିଳିପାରେ ଆଶ୍ବସ୍ତି, ପେଟ୍ରୋଲ-ଡିଜେଲ୍ ଉପରେ ଅବକାରୀ ଶୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: କ୍ରମାଗତ ତୈଳଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କୁ କିଛି ଆଶ୍ବସ୍ତି ମିଳିପାରେ । କାରଣ ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ଅବକାରୀ ଶୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି । ମହାମାରୀ ଆରମ୍ଭ ହେବା ପରଠୁ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ୍ ଉପରେ ଅବକାରୀ ଶୁଳ୍କ ହ୍ରାସ ହେବା ସମ୍ଭାବନା ରହିଛି। ପେଟ୍ରୋଲ-ଡିଜେଲ୍ ଉପରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରତିକୂଳ ପ୍ରଭାବ ରୋକିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ରେକର୍ଡ ସ୍ତରରେ ପହଞ୍ଚି ସାରିଛି ଏବଂ ଗତ ଏକ ମାସ ମଧ୍ୟରେ ଲୋକଙ୍କ ପକେଟ୍ କଣା କରିସାରିଛି।

ଅଟୋ ଇନ୍ଧନ ମୂଲ୍ୟରେ କ୍ରମାଗତ ବୃଦ୍ଧି ରୋକିବାକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ଦୁଇରୁ ତିନି ଟଙ୍କା ହ୍ରାସ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଜାନୁଆରୀ ୧ରୁ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୩୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ଡିଜେଲ ଦର ଏଯାବତ୍ ୨୬ ଟଙ୍କା ବଢ଼ିଛି । ଇନ୍ଧନ ଦର ବୃଦ୍ଧି ଯୋଗୁଁ ଅନ୍ୟସବୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ମଧ୍ୟ ବଢୁଛି । ଫଳରେ ଲୋକଙ୍କ ପାଇଁ ପାର୍ବଣ ଋତୁ ଫିକା ପଡ଼ିଯାଇଛି।
ଏହି ଦୁଇଟି ପେଟ୍ରୋଲିୟମ ଉତ୍ପାଦ ଉପରେ ଅବକାରୀ ଶୁଳ୍କ ହ୍ରାସ ପାଇଁ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଯଦିଓ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ, ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି |
ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ପେଟ୍ରୋଲ, ଡିଜେଲ ଉପରେ ଲିଟର ପିଛା ଅବକାରୀ ଶୁଳ୍କ ୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେବ । ଏହା ଦ୍ୱାରା ରାଜକୋଷ ଉପରେ ବାର୍ଷିକ ୨୫,୦୦୦ କୋଟିରୁ ଅଧିକ ବୋଝ ପଡିବ | ଏହାଠାରୁ ପେଟ୍ରୋଲ-ଡିଜେଲ୍ ଉପରେ ଅଧିକ ରିହାତି ଦିଆଗଲେ ସରକାରଙ୍କୁ ବାର୍ଷିକ ୩୬,୦୦୦ କୋଟିରୁ ଅଧିକ ରାଜସ୍ବ କ୍ଷତି ସହିବାକୁ ପଡ଼ିପାରେ | ତଥାପି ଚଳିତ ଆର୍ଥିକ ବର୍ଷର ଅଧାରୁ ଅଧିକ (୨୧-୨୨) ଶେଷ ହୋଇଥିବାରୁ ଏଭଳି ରିହାତି ପାଇଁ ସରକାରଙ୍କୁ ସେଭଳି କ୍ଷତି ହେବନାହିଁ ।

Comments are closed.