ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ଗୁଜରାଟ ଟାଇଟନ୍ସ

ଅହମ୍ମଦାବାଦ: ଅଭିଜ୍ଞ ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ପରେ ଡେଭିଡ ମିଲରଙ୍କ ଆକ୍ରମଣାତ୍ମକ ୪୪ ରନର ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ରବିବାର ଏଠାରେ ଆଇପିଏଲର‌ ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି।

ଡେଥ୍ ଓଭରରେ ମୋହିତ ଶର୍ମା ମାପଚୁପ ବୋଲିଂ କରିଥିବାବେଳେ ଆଫଗାନ ସ୍ପିନର ରସିଦ ଖାନ ଏବଂ ନୁର ଅହମ୍ମଦ ମଝି ଇନିଂସରେ ହାଇଦ୍ରାବାଦର ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୧୬୨ ରନରେ ସୀମିତ ରହିଥିଲା। ଜବାବରେ ଗୁଜରାଟ ୧୯.୧ ଓଭରରେ ୩ ୱିକେଟ୍ ବିନିମୟରେ ୧୬୮ ରନ୍ କରି ମ୍ୟାଚ୍ ଜିତିଥିଲା ।

ମାଂସପେଶୀ ଟାଣି ହୋଇଯିବା ସତ୍ତ୍ୱେ ମିଲର୍ ୨୭ ବଲର ଅପରାଜିତ ଇନିଂସରେ ୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ | ସେ ବି.ସାଇ ସୁଦର୍ଶନ (୩୬ ବଲରେ ୪୫ ରନ୍)ଙ୍କ ସହିତ ତୃତୀୟ ୱିକେଟ୍ ପାଇଁ ୬୪ ରନର ଭାଗିଦାରୀ କରି ବିଜୟର ମୂଳଦୁଆ ପକାଇଲେ । ଏହା ପରେ ବିଜୟ ଶଙ୍କର(୧୧ ବଲରେ ୧୪*)ଙ୍କ ସହ ୧୮ଟି ବଲରେ ୩୦ ରନ୍ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଓପନର ରିଦ୍ଧିମାନ ସାହା (୧୩ ବଲରେ ୨୫ ରନ୍) ଏବଂ ଅଧିନାୟକ ଶୁଭମାନ ଗିଲ୍ (୨୮୦ ବଲରେ ୩୬ ରନ୍) ମଧ୍ୟ ବ୍ୟାଟ୍ ସହ ଉପଯୋଗୀ ଅବଦାନ ରଖିଥିଲେ।

ସନରାଇଜର୍ସ ପକ୍ଷରୁ ପ୍ୟାଟ୍ କମିନ୍ସ, ମୟଙ୍କ ମାର୍କଣ୍ଡେ ଏବଂ ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଗୁଜରାଟର ଏହା ତିନୋଟି ମ୍ୟାଚରୁ ଦ୍ବିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦରେ ସମାନ ସଂଖ୍ୟକ ମ୍ୟାଚରେ ଦ୍ବିତୀୟ ପରାଜୟ ।

ଏହା ପୂର୍ବରୁ ଗତ ମ୍ୟାଚ୍‌ରେ ୨୭୭ ରନର ରେକର୍ଡ ସ୍କୋର କରିଥିବା ସନରାଇଜର୍ସ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ପାୱାରପ୍ଲେରେ ଗୋଟିଏ ୱିକେଟ୍ ହରାଇ ୫୬ ରନ୍ କରିଥିଲା । ଏହା ପରେ ଆଫଗାନିସ୍ତାନର ସ୍ପିନରମାନେ ମଝି ଓଭରରେ ସନରାଇଜର୍ସ ବ୍ୟାଟରଙ୍କୁ ଖୋଲାଖୋଲି ସଟ୍ ଖେଳିବାକୁ ଦେଇନଥିଲେ। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଟପିନଥିଲେ । ଗୁଜରାଟ ଟାଇଟନ୍ସ ପକ୍ଷରୁ ମୋହିତ ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

Comments are closed.