ପଦାର୍ପଣରେ ଗୁଜୁରାଟ ଟାଇଟନ୍ସ ଆଇପିଏଲ୍ ଚାମ୍ପିୟନ

ଅହମ୍ମଦାବାଦ: କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସହାୟତାରେ ପଦାର୍ପଣ ସିଜନ୍ ରେ ହିଁ ଗୁଜୁରାଟ ଟାଇଟନ୍ସ ଆଇପିଏଲ୍ ଟାଇଟଲ୍ ଜିତିଛି । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିୟନସ ହୋଇଛି ଗୁଜରାଟ । ଏକ ନୂଆ ଦଳକୁ ବିଶ୍ବର ଏହି ଆକର୍ଷଣୀୟ କ୍ରିକେଟ୍ ଲିଗରେ ଚାମ୍ପିୟନ କରିବାର ଶ୍ରେୟ ଯଦି କାହାକୁ ଯିବ, ତେବେ ସେ ହେଉଛନ୍ତି ଏହି ଫ୍ରାଞ୍ଚାଇଜର ‘କ୍ୟାପଟେନ୍ କୁଲ୍’ ହାର୍ଦ୍ଦିକ ପାଣ୍ଡ୍ୟା |

ପାଣ୍ଡ୍ୟା ପ୍ରଥମେ ବୋଲିଂରେ କମାଲ କରିଥିଲେ । ସେ ୧୭ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇ ରୟାଲ୍ସକୁ ୧୩୦/୯ ରେ ସୀମିତ ରଖିଥିଲେ। ଏହାର ଜବାବରେ ଟାଇଟନ୍ସ ଶୀଘ୍ର ଦୁଇଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ପାଣ୍ଡ୍ୟା ୩୦ଟି ବଲରେ ୩୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ସହ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ | ଟାଇଟାନ୍ସ ୧୧ ଟି ବଲ ଏବଂ ୭ଟି ୱିକେଟ ବାକିଥାଇ ମ୍ୟାଚ ଜିତିନେଇଥିଲା। ଦଳ‌ତରଫରୁ ଶୁଭମାନ ଗିଲ୍ ତିନୋଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୪୩ ଟି ବଲରୁ ୪୫ ରନ୍ କରି ଅପରାଜିତ ରହିଥିବାବେଳେ ଡେଭିଡ ମିଲର ମାତ୍ର ୧୯ ଟି ବଲରେ ୩୨ ରନ ସ୍କୋର କରିଥିଲେ । ତାଙ୍କ ପାଳିରେ ତିନୋଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଗୁଜୁରାଟ ଶୀଘ୍ର ରିଦ୍ଧିମାନ ସାହା (୫) ଏବଂ ମାଥ୍ୟୁ ୱେଡ (୮) ଙ୍କ ୱିକେଟ୍ ହରାଇଥିଲା।

ଏହାପୂର୍ବରୁ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳି ପାରିନଥିଲେ। ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ସାମ୍ନାରେ ହୋମ୍ ଗ୍ରାଉଣ୍ଡରେ ଗୁଜୁରାଟର ବୋଲରମାନେ ଶାଣିତ ବୋଲିଂ ସହ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ। ଦଳ ପକ୍ଷରୁ ଜୋସ୍ ବଟଲର ୩୫ ବଲରୁ ୩୯ ରନ୍ ଏବଂ ଯଶସ୍ବୀ ଜୈସୱାଲ ୧୬ ବଲରୁ ୨୨ ରନ୍ କରିଥିଲେ। ଗୁଜୁରାଟ ତରଫରୁ ହାର୍ଦ୍ଦିକ ଚାରି ଓଭରରେ ମାତ୍ର ୧୭ ରନ୍ ଦେଇ ତିନିଟି ୱିକେଟ୍ ନେଇଥିବାବେଳେ ଆଫଗାନିସ୍ତାନର ଲେଗ୍ ସ୍ପିନର ରସିଦ୍ ଖାନ୍ କଞ୍ଜୁସ୍ ବୋଲିଂ କରି ଚାରି ଓଭରରେ ମାତ୍ର ୧୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜରେ ୪ଟି ଶତକ ସହ ୮୦୦ରୁ ଊର୍ଦ୍ଧ୍ବ ରନ୍ କରିଥିବା ଜୋସ୍ ବଟଲର୍ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଥିଲେ ।

Comments are closed.