ଅସ୍ତ୍ରବିରତି ମଧ୍ୟରେ ୧୩ ଇସ୍ରାଏଲ୍ ନାଗରିକଙ୍କୁ ମୁକ୍ତ କଲା ହାମାସ୍

ଜେରୁଜେଲମ: ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଚାରି ଦିନିଆ ଅସ୍ତ୍ରବିରତି ମଧ୍ୟରେ ହାମାସ୍ ୧୩ ଇସ୍ରାଏଲ୍ ପଣବନ୍ଦୀଙ୍କୁ ମୁକ୍ତ କରିଛି । ରିଲିଫ କାର୍ଯ୍ୟରେ ନିୟୋଜିତ ରେଡ କ୍ରସକୁ ଏହି ୧୩ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହାମାସ୍ ।

ଏହାପୂର୍ବରୁ ହାମାସ୍ ଥାଇଲ୍ୟାଣ୍ଡର ୧୨ ଜଣ ନାଗରିକଙ୍କୁ ମୁକ୍ତ କରିଥିଲା। ସେମାନଙ୍କୁ ଗାଜାରେ ବନ୍ଧକ ରଖାଯାଇଥିଲା। କିନ୍ତୁ ଏହି ୧୨ ଜଣ ଲୋକ ଅସ୍ତ୍ରବିରତି ଚୁକ୍ତିର ଅଂଶବିଶେଷ ନଥିଲେ |

ଉଭୟ ପକ୍ଷର ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଚାରି ଦିନିଆ ଅସ୍ତ୍ରବିରତି ଚୁକ୍ତି ଯୋଗୁଁ ପାଲେଷ୍ଟିନୀୟ ଲୋକେ ସାମୟିକ ଆଶ୍ବସ୍ତି ଲଭିଛନ୍ତି। ଏହି ଅସ୍ତ୍ରବିରତି ଦୁଇ ପକ୍ଷ ମଧ୍ୟରେ ଦେଢ଼ମାସ ଧରି ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି। କିନ୍ତୁ ଇସ୍ରାଏଲ୍ କହିଛି ଯେ ଅସ୍ତ୍ରବିରତି ଅବଧି ଶେଷ ହେଲେ ହାମାସ୍ ବିରୋଧରେ ପୁଣି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସର ଅତର୍କିତ ଆକ୍ରମଣରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଏହାର ଜବାବରେ ଇସ୍ରାଏଲ୍ ଗାଜା ଉପରେ ଉଭୟ ଆକାଶ ମାର୍ଗରୁ ଏବଂ ସ୍ଥଳଭାଗରେ ଆକ୍ରମଣ କରିଥିଲା । ଇସ୍ରାଏଲ ଆକ୍ରମଣରେ ଏଯାବତ୍ ଅତି କମରେ ୧୪,୦୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି । ସାତ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧ ଯୋଗୁଁ ଗାଜାରେ ଉତ୍କଟ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି ।

Comments are closed.