ଅଷ୍ଟ୍ରେଲିଆକୁ ଝଟକା, ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ଜୋଶ୍ ହାଜଲେଉଡ୍ ବାଦ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ଼ ଝଟକା । ଦଳର ଅଭିଜ୍ଞ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ଆହତ କାରଣରୁ ଫେବୃଆରୀ ୯ରୁ ନାଗପୁରରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି।

ପ୍ରଥମ ଟେଷ୍ଟ ମ୍ୟାଚରୁ ଜୋଶ ହାଜଲେଉଡ୍ ବଞ୍ଚିତ ହେବା ପରେ ତାଙ୍କ ସ୍ଥାନରେ ସ୍କଟ୍ ବୋଲାଣ୍ଡ ବିଦେଶରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ସୁଯୋଗ ପାଇପାରନ୍ତି। ଡାହାଣହାତୀ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୮ ୱିକେଟ୍ ନେଇଛନ୍ତି। ସେ ଦିନିକିଆରେ ୧୪ଟି ମ୍ୟାଚରେ ୧୬ଟି ଏବଂ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ତିନି ୱିକେଟ୍ ନେଇଛନ୍ତି।

ନାଗପୁରରେ ଜୋଶ ହାଜଲେଉଡଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ବଡ଼ ଝଟକା। ଜୋଶ ହାଜଲେଉଡଙ୍କ ସହ ଆଙ୍ଗୁଠିରେ ଆଘାତ ଯୋଗୁଁ ୩୨ ବର୍ଷୀୟ ଷ୍ଟାର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ପ୍ରଥମ ଟେଷ୍ଟରୁ ବଞ୍ଚିତ ହେବା ନିଶ୍ଚିତ। ଆଙ୍ଗୁଠି ଆଘାତ ଯୋଗୁଁ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ବି ଦ୍ୱିତୀୟ ଟେଷ୍ଟ ପର୍ଯ୍ୟନ୍ତ ବୋଲିଂ କରିବା ସମ୍ଭାବନା ନାହିଁ।

୧.୯୬ ମିଟର ଉଚ୍ଚତା ବିଶିଷ୍ଟ ଜୋଶ ହାଜଲେଉଡ୍ ଭାରତ ବିପକ୍ଷ ଏଯାବତ ୧୫ଟି ଟେଷ୍ଟ ମ୍ୟାଚରେ ୫୧ ୱିକେଟ୍ ନେଇଛନ୍ତି। ଜୋସ୍ ହାଜଲେଉଡ୍ ଅଷ୍ଟ୍ରେଲିଆ ପାଇଁ ଏପର୍ଯ୍ୟନ୍ତ ୫୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୨୨୨ ୱିକେଟ୍ ନେଇଛନ୍ତି। ତେବେ ସେ ଅନ୍ତର୍ଜାତୀୟ ସ୍ତରରେ ୧୬୯ ମ୍ୟାଚ୍ (୫୯ ଟେଷ୍ଟ, ୬ ଟି ଦିନିକିଆ ଓ ୪୧ ଟି-୨୦)ରେ ୩୮୮ ୱିକେଟ୍ ନେଇଛନ୍ତି। ଏଥିମଧ୍ୟରୁ ଅନ୍ତର୍ଜାତୀୟ ଟି-୨୦ରେ ସେ ୫୮ ୱିକେଟ୍ ଏବଂ ଦିନିକିଆରେ ୧୦୮ଟି ୱିକେଟ୍ ନେଇଛନ୍ତି ।

Comments are closed.