ସୁନ୍ଦରଗଡ ଜିଲ୍ଲାରେ ଓଡିଶା ପୁଷ୍ଟିଶସ୍ୟ ମିଶନ, ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ମିଶନରେ ନୂଆ କରି ସାମିଲ ହୋଇଛନ୍ତି ହେମଗିରି ଓ ଲେଫ୍ରିପଡା ବ୍ଲକ୍

ସୁନ୍ଦରଗଡ-ସୁନ୍ଦରଗଡ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ମାଣ୍ଡିଆ ଚାଷର ପଦ୍ଧତି ଓ କୌଶଳ ସଂପର୍କରେ ଚାଷୀଙ୍କୁ ଅବଗତ କରାଯାଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି । ଉନ୍ନତମାନର ମାଣ୍ଡିଆ ଚାଷ କେମିତି ହୋଇପାରିବ, ସେ ନେଇ ହେମଗିରି ଓ ଲେଫ୍ରିପଡା ବ୍ଲକର ମାଣ୍ଡିଆ ଚାଷୀ, ଲୋକ ସଂଗଠନ ଗ୍ରୁପ୍ ଓ ସହଯୋଗୀ ସଂସ୍ଥାର ସଦସ୍ୟମାନେ କୁତ୍ରା ବ୍ଲକ୍ ଗସ୍ତ କରିଥିଲେ ।

ସେଠାରେ ସେମାନେ ଚାଷୀ, ଲୋକ ସଂଗଠନ ଗ୍ରୁପ୍ ଓ ସହଯୋଗୀ ସଂସ୍ଥା ସହ ଭାବ ବିନିମୟ କରିଛନ୍ତି । ମାଣ୍ଡିଆ ଚାଷର ପଦ୍ଧତି ଓ କୌଶଳ ସଂପର୍କରେ ହେମଗିରି ଓ ଲେଫ୍ରିପଡା ବ୍ଲକର ଚାଷୀମାନେ ପଚାରି ବୁଝିବା ସହ କ୍ଷେତ ପରିଦର୍ଶନ କରିଥିଲେ । ଉନ୍ନତମାନର ମାଣ୍ଡିଆ କେମିତି ଅମଳ ହୋଇପାରିବ, ସେ ନେଇ ଆଲୋଚନା ହୋଇଥିଲା । ଏହି ଭାବ ବିନିମୟ ବେଳେ ଜିଲ୍ଲା କୃଷି ଅଧିକାରୀ ( ରାଜଗାଙ୍ଗପୁର, ପାନପୋଷ ) ରିଲିଜିୟସ ବେକ୍ , କୁତ୍ରା ବ୍ଲକ୍ ଅଧିକାରୀ ସଂଜୀବ କୁମାର ମହାନ୍ତି, ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ମାନସ ରଂଜନ ରାଉତ ଓ ଅର୍ପଣ ଦାସ ଉପସ୍ଥିତ ଥିଲେ ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକରେ ମାଣ୍ଡିଆ ଚାଷ ଜିଲ୍ଲାର ଅନ୍ୟ ଅଂଚର ଚାଷୀଙ୍କ ପାଇଁ ପ୍ରେରଣା ହୋଇଛି । ଏହି ବ୍ଲକ୍‌ର ଚାଷୀମାନେ ୨୦୧୮ରୁ ମାଣ୍ଡିଆ ଚାଷ କରିଆସୁଛନ୍ତି । ଚଳିତ ବର୍ଷ ନୂଆକରି ଲେଫ୍ରିପଡା ଓ ହେମଗିରି ବ୍ଲକରେ ଓଡିଶା ପୁଷ୍ଟିଶସ୍ୟ ଅଧୀନରେ ମାଣ୍ଡିଆ ଚାଷ ଆରମ୍ଭ ହୋଇଛି । ସୁନ୍ଦରଗଡ ଜିଲ୍ଲାର ୮ଟି ବ୍ଲକ୍ ଓଡିଶା ପୁଷ୍ଟିଶସ୍ୟ ମିଶନ ମାନଚିତ୍ରରେ ସ୍ଥାନ ପାଇଛନ୍ତି ।

Comments are closed.