ତିହାର୍ ଜେଲରୁ ସାମ୍ନାକୁ ଆସିଲା ଆଉ ଏକ ଭିଡ଼ିଓ, ସତ୍ୟେନ୍ଦ୍ର ଜୈନଙ୍କ ପ୍ରକୋଷ୍ଠରେ ଚାଲିଛି ସଫେଇ କାମ

ନୂଆଦିଲ୍ଲୀ: ତିହାର୍ ଜେଲରୁ ଦିଲ୍ଲୀ ସରକାରଙ୍କ ଜେଲ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ସିସିଟିଭି ଭିଡ଼ିଓରେ ସତ୍ୟେନ୍ଦ୍ର ଜୈନଙ୍କ ପ୍ରକୋଷ୍ଠରେ ସଫେଇ ଚାଲିଛି । ପରେ ସେ କିଛି ଲୋକଙ୍କ ସହିତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି |

ବର୍ତ୍ତମାନ ପର୍ଯ୍ୟନ୍ତ ଜେଲରୁ ସତ୍ୟେନ୍ଦ୍ର ଜୈନଙ୍କ ୪ଟି ଭିଡିଓ ସାମ୍ନାକୁ ଆସିଲାଣି । ତିହାର ଜେଲରୁ ଭାଇରାଲ ହୋଇଥିବା ଏହି ନୂଆ ଭିଡିଓରେ ସତ୍ୟେନ୍ଦ୍ର ଜୈନଙ୍କ ପ୍ରକୋଷ୍ଠରେ ସଫେଇ କାମ ଚାଲିଛି। ସଫେଇ ସହିତ ଲୋକମାନେ ଜୈନଙ୍କ ବିଛଣା ମଧ୍ୟ ସଜାଉଛନ୍ତି । ଏହା ପୂର୍ବରୁ ଶନିବାର ମଧ୍ୟ ସତ୍ୟନ୍ଦ୍ର ଜୈନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ସେଥିରେ ସେ ତିହାର ଜେଲର ନିଲମ୍ବିତ ସୁପରିଟେଣ୍ଡେଣ୍ଟ ଅଜିତ କୁମାରଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭିଆଇପି ସୁବିଧା ଦେଉଥିବା ଅଭିଯୋଗରେ ଜେଲ୍ ସୁପରିଟେଣ୍ଡେଣ୍ଟ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହା ପୂର୍ବରୁ ଭାଇରାଲ ହୋଇଥିବା ଆଉ ଦୁଇଟି ଭିଡ଼ିଓରେ ଜଣେ ବ୍ୟକ୍ତି ସତ୍ୟେନ୍ଦ୍ର ଜୈନଙ୍କ ଗୋଡ଼ ମାଲିସ୍ କରୁଥିବା ଓ ଜୈନ ତାଙ୍କ ପାଇଁ ବାହାରୁ ଅଣାଯାଇଥିବା ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା ।

ଉଲ୍ଲେଖଯୋଗ୍ୟ, ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା ଦିଆଯିବା ନେଇ ଆମ୍ ଆଦମୀ ପାର୍ଟି (ଆପ୍)କୁ ବିଜେପି ଟାର୍ଗେଟ କରିଛି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ।

Comments are closed.