ହେଲିକପ୍ଟର ଦୁର୍ଘଟଣା ନେଇ ଗୁଜବକୁ ବିଶ୍ବାସ ନ କରିବାକୁ ବାୟୁସେନାର ଅପିଲ

ନୂଆଦିଲ୍ଲୀ: କୁନ୍ନୁର ହେଲିକପ୍ଟର ଦୁର୍ଘଟଣା ଏକ ଷଡଯନ୍ତ୍ର ଥିଲା ବୋଲି ଆଶଙ୍କା କରୁଥିବା ଲୋକଙ୍କୁ ଭାରତୀୟ ବାୟୁସେନା (ଆଇଏଏଫ୍) ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା ପାଇଁ ଅପିଲ କରିଛି। ଆଇଏଏଫ୍ କହିଛି ଯେ ଆମେ ଘଟଣାର ତ୍ରି-ସେବା ତଦନ୍ତ ଆରମ୍ଭ କରିଛୁ। ତଦନ୍ତ ଦ୍ରୁତ ଗତିରେ ଚାଲିଛି ଏବଂ ଶୀଘ୍ର ତଥ୍ୟ ସାମ୍ନାକୁ ଆସିବ । ସେପର୍ଯ୍ୟନ୍ତ ଶହୀଦମାନଙ୍କ ସମ୍ମାନ ଦୃଷ୍ଟିରୁ ଅଯଥା ଗୁଜବ ଉପରେ ବିଶ୍ବାସ ନ କରିବାକୁ ଆଇଏଏଫ୍ କହିଛି ।

ଆଇଏଏଫ୍ ର ଏହି ଅପିଲ ସେହି ରିପୋର୍ଟ ସମ୍ବନ୍ଧରେ କରାଯାଇଛି ଯେଉଁଥିରେ ସିଡିଏସ୍ ଜେନେରାଲ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାକୁ ଷଡ଼ଯନ୍ତ୍ର ବୋଲି କୁହାଯାଇଛି।

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଜେନେରାଲ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ଏକ ଦୁର୍ଘଟଣା ନୁହେଁ ବରଂ ଷଡଯନ୍ତ୍ର । ଅନେକ ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ବିଜେପି ସାଂସଦମାନେ ଏହି ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ଘଟଣା ଦେଶରେ ଘଟିଛି। ସେହି ହେଲିକପ୍ଟର ଚଳାଉଥିବା କର୍ମଚାରୀମାନେ ସେନାର ଥିଲେ। ସେଥିପାଇଁ ମୁଁ କହୁଛି ସୈନ୍ୟ ଉପରେ କୌଣସି ଚାପ ରହିବା ଉଚିତ୍ ନୁହେଁ। ତଥ୍ୟ ଚପାଇବା ଠିକ୍ ନୁହେଁ କିମ୍ବା ଦୁର୍ଘଟଣାର କାରଣ ଲୁଚାଇବା ମଧ୍ୟ ଉଚିତ ନୁହେଁ | ଏହି ଦୁର୍ଘଟଣାର ଯାଞ୍ଚ୍ ଏପରି ଜଣେ ବ୍ୟକ୍ତି କରିବା ଉଚିତ ଯିଏକି ସେନା ଓ ସରକାର ଠାରୁ ସ୍ବାଧୀନ । ସେ କେବଳ ସୁପ୍ରିମକୋର୍ଟର ଜଣେ ବିଚାରପତି ହିଁ ହୋଇପାରିବେ।

ସେନା ହେଲିକପ୍ଟର ଦୁର୍ଘଟଣା ନେଇ ପ୍ରଶ୍ନ ଉଠିବାର ଆଉ ଏକ କାରଣ ହେଲା ଜେନେରାଲ ରାୱତଙ୍କ ପରି ତାଇୱାନର ସାମରିକ ମୁଖ୍ୟ ମଧ୍ୟ ଏକ ବର୍ଷ ତଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁଇଟି ଘଟଣାକୁ ଯୋଡି ସୋସିଆଲ ମିଡିଆରେ ଅନେକ ବିଶେଷଜ୍ଞ କହିଛନ୍ତି ଯେ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ଚୀନର ହାତ ଥାଇପାରେ ।‌‌ କାରଣ ରାୱତ ପ୍ରତ୍ୟେକ ଦିଗରେ ଚୀନ୍‌କୁ ଉଚିତ୍ ଉତ୍ତର ଦେଉଥିଲେ। ତାଇୱାନର ମିଲିଟାରୀ ଚିଫ୍ ଜେନେରାଲ୍ ଷ୍ଟାଫ୍ ଜେନେରାଲ୍ ଶେନ୍ ୟି ମିଙ୍ଗ୍ ମଧ୍ୟ ଚୀନ୍ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।

Comments are closed.