ଆଇସିସି କ୍ରିକେଟ ବିଶ୍ୱକପ -୨୦୨୩

ଚାରିବର୍ଷ ପରେ ପୁଣି ଥରେ ବିଶ୍ୱ କ୍ରିକେଟ ମହାକୁମ୍ଭର ସମୟ । କ୍ରିକେଟ ବିଶ୍ୱକପ୍‌ର ୧୩ତମ ସଂସ୍କରଣ ଭାରତରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଭାରତ ଏକାକୀ ଆୟୋଜନ କରୁଛି ଏକଦିବସୀୟ କ୍ରିକେଟ ବିଶ୍ୱକପର ଶୋ ପିସ୍ ଇଭେଣ୍ଟଣ୍ଟା ପୂର୍ବରୁ ଭାରତ ୧୯୮୭ରେ ପାକିସ୍ତାନ, ୧୯୯୬ରେ ପାକିସ୍ତାନ ଓ ଶ୍ରୀଲଙ୍କା ଏବଂ ୨୦୧୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ସହ ମିଳିତ ଭାବେ ଆୟୋଜିତ କରିଥିଲା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । କିନ୍ତୁ ଏଥର ଭାରତରେ ହିଁ ସବୁ ମ୍ୟାଚ ଆୟୋଜନ ହେବ । ଭାରତର ୧୦ଟି ସହରରେ ୪୮ଟି ମ୍ୟାଚ ଖେଳାଯିବ । ଏଥର ସଂସ୍କରଣରେ ଭାରତ ସମେତ ୧୦ଟି ଟିମ୍ ଭାଗ ନେଉଛନ୍ତି । ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡସ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରୁ ଶ୍ରେଷ୍ଠ ଦୁଇ ଦଳ ଭାବେ ବିଶ୍ୱକପରେ ଏଂଟ୍ରି ମାରିଥିବା ବେଳେ ଦୁଇଥରର ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ।

ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ୧୦ଟି ଟିମ୍ ରାଉଣ୍ଡ ରବିନ୍ ଲିଗରେ ପରସ୍ପର ସହ ଖେଳିବେ । ପ୍ରତ୍ୟେକ ଟିମ୍ ରାଉଣ୍ଡ ରବିନରେ ୯ଟି ଟିମ୍ ସହ ଖେଳିବେ । ରାଉଣ୍ଡ ରବିନ୍ ଲିଗର ସମସ୍ତ ମ୍ୟାଚ ପରେ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଓ ନଭେମ୍ବର ୧୬ ତାରିଖରେ କୋଲକାତାର ଇଡେନ ଗାର୍ଡେନସରେ ଖେଳାଯିବ । ଯଦି ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କଲେ , ତାହା ହେଲେ ଦଳ ମୁମ୍ବାଇରେ ମ୍ୟାଚ ଖେଳିବ । ରାଉଣ୍ଡ ରବିନ ଲିଗରେ ମୋଟ ୪୫ଟି ମ୍ୟାଚ ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ୍ ନଭେମ୍ବର ତାରିଖରେ ଅହମ୍ମଦାବାକ ସ୍ଥିତ ବିଶ୍ୱର ବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଏଥରର ବିଶ୍ୱକପରେ ଟାଇଟଲ ଫେଭରିଟ ବୋଲି କୁହାଯାଉଛି । କିନ୍ତୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନର ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ଆୟୋଜକ ଭାବେ ଭାରତ ୨୦୧୧ରେ ବିଶ୍ୱକପ୍ ଜିତିଥିଲା । ତେଣୁ ଏଥର ମଧ୍ୟ ଭାରତ ସେହି ସଫଳତା ହାସଲ କରିବ ବୋଲି ଦେଶର କୋଟି କୋଟି  କ୍ରିକେଟ ପ୍ରେମୀ ଆଶା ବାନ୍ଧି ବସିଛନ୍ତି । ବିରାଟ କୋହଲୀ,ରୋହିତ ଶର୍ମା ଓ ଆର୍‌. ଅଶ୍ୱିନଙ୍କ ଭଳି କିମ୍ବଦନ୍ତୀ ଖେଳାଳି ନିଜର ଶେଷ ବିଶ୍ୱକପ୍ ଖେଳୁଛନ୍ତି । ଘରୋଇ ମାଟିରେ ସେମାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଚାମ୍ପିଅନ ହୋଇପାରେ ବୋଲି ଏକ ଆଶା ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ଆୟୋଜକ ଦେଶ ଭାବେ ଭାରତୀୟ ଦଳ ଚାପରେ ବି ରହିବ । ୨୦୧୧ରେ ଚାମ୍ପିଅନ ହେବା ପରେ ଭାରତ ୨୦୧୫ ଓ ୨୦୧୯ ସଂସ୍କରଣରେ ସେମିଫାଇନାଲରେ ଝୁଂଟିଥିଲା । ଏହାଛଡା କ୍ରିକେଟର ଅନ୍ୟ ଫର୍ମାଟର ବିଶ୍ୱ ପ୍ରତିଯୋଗିତାରେ ମଧ୍ୟ ଭାରତ ନକ୍ ଆଉଟରେ ଲଗାତର ଭାବେ ହାରୁଥିବାରୁ ଦଳକୁ କେହି କେହି କ୍ରିକେଟର ନୂଆ ‘ଚୋକର’ ଭାବେ କହିବାକୁ ଲାଗିଲେଣି । କିନ୍ତୁ ସଦ୍ୟ ସମାପ୍ତ ଏସିଆ କପ୍ କ୍ରିକେଟରେ ଚାମ୍ପିଅନ ହେବା ସହ ଅଷ୍ଟ୍ରେଲିଆ ସହ ଘରୋଇ ମାଟିରେ ଦିନିକିଆ ସିରିଜ୍ ଜିତି ଭାରତ ବିଶ୍ୱକପ ଟାଇଟଲ ପାଇଁ ପ୍ରବଳ ଦାବିଦାର ଭାବେ ଉଭା ହୋଇଛି । ଭାରତ ବର୍ତ୍ତମାନ କ୍ରିକେଟର ସମସ୍ତ ତିନିଟି ଫର୍ମାଟରେ ଏକ ନମ୍ବର ଦଳ । କ୍ରିକେଟ ଇତିହାସରେ ମାତ୍ର ଦ୍ୱିତୀୟ ଥର ପାଇଁ କୌଣସି ଦଳ ସବୁ ଫର୍ମାଟରେ ଏକ ନମ୍ବର ଦଳ ହୋଇଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୧୨ ମସିହା ଅଗଷ୍ଟରେ ସବୁ ଫର୍ମାଟରେ ଏକ ନମ୍ବର ଦଳ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱକପର ଗତ ତିନିଟି ସଂସ୍କରଣରେ ଆୟୋଜକ ଦଳ ହିଁ ଚାମ୍ପିଅନ ହୋଇଛି । ସେ ଦୃଷ୍ଟିରୁ ଭାରତ କଣ ଆୟୋଜକ ଦେଶ ଭାବେ ଏଥର ଚାମ୍ପିଅନ ହୋଇପାରିବ ?

ଟେଷ୍ଟ ମାନ୍ୟତାପ୍ରାପ୍ତ ପୁରୁଣା ଦଳଗୁଡିକ ମଧ୍ୟରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବିଶ୍ୱକପ୍ ଜିତି ପାରିନାହାନ୍ତି । ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ( ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ ) ଟାଇଟଲ ଜିତିଛି । ଏଥର ଯୋଗ୍ୟତା ହାସଲ କରିପାରିନଥିବା ୱେଷ୍ଟଇଣ୍ଡିଜ୍ ବିଶ୍ୱକପର ପ୍ରଥମ ଦୁଇଟି ସଂସ୍କରଣ ( ୧୯୭୫ ଓ ୧୯୭୯ )ରେ ଚାମ୍ପିଅନ ହୋଇଥିଲା । ଭାରତ ୧୯୮୩ ଓ ୨୦୧୧ ସଂସ୍କରଣରେ ଚାମ୍ପିଅନ ହୋଇଥିବା ବେଳେ ପାକିସ୍ତାନ ୧୯୯୨ ଓ ଶ୍ରୀଲଙ୍କା ୧୯୯୬ରେ ହାତେଇଥିଲା ଟାଇଟଲ୍ । ଇଂଲଣ୍ଡ ୨୦୧୯ରେ ପ୍ରଥମ ଥର ପାଇଁ ଜିତିଥିଲା ବିଶ୍ୱକପ୍ ।

ଏଥର ଆଇସିସି ବିଶ୍ୱକପରେ ଅର୍ଥ ବର୍ଷା ହେବ । ଏଥର ବିଶ୍ୱକପ୍ ବିଜୟୀ ଟିମକୁ ମିଳିବ ୪୦ ଲକ୍ଷ ଆମେରିକୀୟ ଡଲାର ( ପାଖାପାଖି ୩୩ କୋଟି ୧୭ ଲକ୍ଷ ଟଙ୍କା ), ରନର୍ସଅପ ଟିମ୍ ପାଇବେ ୨୦ ଲକ୍ଷ ଆମେରିକୀୟ ଡଲାର ( ପ୍ରାୟ ୧୬ କୋଟି ୫୮ ଲକ୍ଷ ଟଙ୍କା ) । ସେମିଫାଇନାଲରେ ପରାଜିତ ଦଳଙ୍କୁ ୮ ଲକ୍ଷ ଆମେରିକୀୟ ଡଲାର ( ପ୍ରାୟ ୬ କୋଟି ୬୩  ଲକ୍ଷ ) ଲେଖାଏଁ  ମିଳିବ ।

ଏଥର ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ଦଳର ଅନୁପସ୍ଥିତି କ୍ରିକେଟପ୍ରେମୀଙ୍କୁ ନିରାଶ କରିିଛି । ପ୍ରଥମ ଥର ପାଇଁ ବିଶ୍ୱକପ୍ କ୍ରିକେଟ ଖେଳିବ ନାହିଁ କାରିବିୟାନ ଟିମ୍ । ୧୯୭୫ର ଉଦଘାଟନୀ ସଂସ୍କରଣ ସହ ୧୯୭୯ ମସିହା ବିଶ୍ୱକପରେ ବି ଚାମ୍ପିଅନ ହୋଇଥିଲା ୱେଷ୍ଟଇଣ୍ଡିଜ । ଜିମ୍ବାୱେରେ ଅନୁଷ୍ଠିତ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ୱେଷ୍ଟଇଣ୍ଡିଜ ସୁପରସିକ୍ସ ରାଉଣ୍ଡରେ ସ୍କଟଲାଣ୍ଡଠୁ ହାରିଯାଇଥିଲା । ଏଥିସହ ଦଳର ବିଶ୍ୱକପ୍ ଆଶା ଧୂଳିସାତ ହୋଇଯାଇଥିଲା । ଦୁଇଥର ଦିନିକିଆ ଓ ଦୁଇଥର ଟି-୨୦ ବିଶ୍ୱକପ୍ ଚାମ୍ପିୟନ ୱେଷ୍ଟଇଣ୍ଡିଜ ୨୦୧୯ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୯ଟି ମ୍ୟାତରୁ ମାତ୍ର ଦୁଇଟିରେ ବିଜୟୀ ହୋଇଥିଲା ଦଳ । ପୂର୍ବରୁ ୨୦୧୭ ଚାମ୍ପିଅନଓ ଟ୍ରଫି ପାଇଁ ବି ଦଳ ଯୋଗ୍ୟତା ହାସଲ କରିପାରିନଥିଲା ।

ଟି-୨୦ କ୍ରିକେଟର ଲୋକପ୍ରିୟତା ଯୋଗୁଁ ଦିନିକିଆ କ୍ରିକେଟ ସ୍ୱତନ୍ତ୍ରତା ହରାଇବ ବୋଲି ଆଶଙ୍କା କରିଥିଲେ । କିନ୍ତୁ କିଛି ନିୟମରେ ପରିବର୍ତ୍ତନ ଦିନିକିଆ କ୍ରିକେଟକୁ ଆହୁରି ରୋମାଂଚକ କରିଛି । ଏପରିକି ଦିନିକିଆ କ୍ରିକେଟରେ ଟି-୨୦ର ଝଲକ ଦେଖିବାକୁ ମିଳୁଛି । ନିକଟ ଅତୀତରେ ଖେଳାଯାଇଥିବା କିଛି ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ଦେଖିବାକୁ ମିଳିଛି ଅନେକ ରୋମାଂଚକର ମ୍ୟାଚ୍ । ସେ ଦୃଷ୍ଟିରୁ ଭାରତରେ ଆୟୋଜିତ ହେଉଥିବା ଏଥରର ବିଶ୍ୱକପ ଅଧିକ ରୋମାଂଚକର ହେବ ବୋଲି ଆଶା କରାଯାଉଛି ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ। 

Comments are closed.