ଇମ୍ରାନ ଖାନଙ୍କୁ ଝଟକା, ୫ ବର୍ଷ ଯାଏଁ ନିର୍ବାଚନ ଲଢ଼ିପାରିବେ ନାହିଁ

ଇସଲାମାବାଦ : ପାକିସ୍ତାନର ନିର୍ବାଚନ ଆୟୋଗ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଛନ୍ତି । ଅର୍ଥାତ ସେ ଆସନ୍ତା ପାଞ୍ଚ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ।

ନିକଟରେ ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା । ସେ ଗତ କିଛି ମାସ ଧରି ତାଙ୍କ ବିରୋଧରେ ଚାଲିଥିବା ଅଭିଯୋଗ ବିରୋଧରେ ଆଇନଗତ ଲଢ଼େଇ ଜାରି ରଖିଛନ୍ତି।

ଶେଷରେ ତୋଷଖାନା ମାମଲାରେ ଅଗଷ୍ଟ ୫ରେ ଇମ୍ରାନ ଖାନଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ପୂର୍ବରୁ ରେକର୍ଡ ହୋଇଥିବା ବୟାନରେ ଇମ୍ରାନ ଖାନ ସମର୍ଥକଙ୍କୁ ତାଙ୍କ ଗିରଫଦାରୀ ନେଇ ଚୁପ୍ ନ ରହିବାକୁ କହିଥିଲେ । କିନ୍ତୁ କୈତୁହଳର ବିଷୟ ଯେ ଏଥର ତାଙ୍କ ସମର୍ଥକଙ୍କ ପ୍ରତିକ୍ରିୟା ପୂର୍ବ ଭଳି ନଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଘୋଷଣା କରିଛି ।

ଇମ୍ରାନ ଖାନ ୨୦୧୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ବର୍ଷକ ତଳେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟରେ ପରାସ୍ତ ହେବା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତାଙ୍କ ବିରୋଧରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି।

Comments are closed.