ଇମ୍ରାନ ଖାନଙ୍କୁ ଝଟକା, ଦୁଇଟି ଆସନରୁ ନାମାଙ୍କନପତ୍ର ଖାରଜ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଦେଶରେ ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଜାବ ପ୍ରଦେଶର ଦୁଇଟି ଆସନରୁ ତାଙ୍କ ନାମାଙ୍କନପତ୍ର ଖାରଜ କରିଦେଇଛନ୍ତି ନିର୍ବାଚନ କମିଶନ ।

ତୋସଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ତାଙ୍କ ନାମାଙ୍କନପତ୍ର ଖାରଜର ମୁଖ୍ୟ କାରଣ ବୋଲି କୁହାଯାଇଛି। ଏହାଛଡ଼ା ଇମ୍ରାନଙ୍କ ପ୍ରସ୍ତାବକ ଓ ଅନୁମୋଦକ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ନୁହଁନ୍ତି ।

ପାକିସ୍ତାନର ୭୧ ବର୍ଷୀୟ ପୂର୍ବତନ କ୍ରିକେଟ୍ ଷ୍ଟାର ଇମ୍ରାନ ଖାନ ଏପ୍ରିଲ ୨୦୨୨ରେ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରଠୁ ରାଜନୈତିକ ଓ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ତୋସଖାନା ମାମଲାରେ ଅଗଷ୍ଟରେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା।

ରିଟର୍ଣ୍ଣିଂ ଅଫିସରଙ୍କ କହିବାନୁସାରେ, ଯଦିଓ ଇମ୍ରାନ ଖାନଙ୍କ ଦଣ୍ଡ ଇସଲାମାବାଦ ହାଇକୋର୍ଟ ନିଲମ୍ବିତ କରିଥିଲେ, ତେବେ ନିର୍ବାଚନ ଲଢ଼ିବା ତାଙ୍କ ଅଯୋଗ୍ୟତା ଏବେବି କାଏମ ରହିଛି।

Comments are closed.