ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତର ଏହା ଶେଷ ଦୁଇ ସିରିଜ ମଧ୍ୟରୁ ଅନ୍ୟତମ ‌। ଏହାପରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ତିନୋଟି ଟି-୨୦ ଖେଳିବ । ହେଲେ ଟିମ ଇଣ୍ଡିଆର ଅଧିନାୟକ ଏବଂ କୋଚଙ୍କ ପାଇଁ ସବୁଠୁ ବଡ ମୁସ୍କିଲ କାମ ଚୂଡାନ୍ତ ଏକାଦଶ ଚୟନ ବୋଲି କୁହାଯାଇଛି।

କାରଣ ଜାଡେଜା ଆହତଜନିତ ସମସ୍ୟା ଏବଂ ଶାମି କରୋନା କାରଣରୁ ଦଳରୁ ବାଦ୍‌ ପଡିଛନ୍ତି।ତେଣୁ ପ୍ରଥମ ଟି-୨୦ରେ କେଉଁ ୧୧ ଜଣ ଖେଳାଳଙ୍କୁ ଦଳରେ ସାମିଲ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଟି-୨୦ ବିଶ୍‌ କପ୍‌ ପୂର୍ବରୁ ଭାରତୀୟ ଦଳ ନିକଟରେ ନିଜର ଶ୍ରେଷ୍ଠ ଚୂଡାନ୍ତ ଏକାଦଶକୁ ମଇଦାନକୁ ଓହ୍ଲାଇବା ନେଇ ଶେଷ ସୁଯୋଗ ରହିଛି। ଅଧିନାୟକ ରୋହିତ ଶର୍ମା ପୂର୍ବରୁ କହି ସାରିଛନ୍ତି ଯେ, ପ୍ରୟୋଗ ଏବଂ ପ୍ରସ୍ତୁତି ସମୟ ସରି ଯାଇଛି। ଏବେ ସମସ୍ତ ଯୋଜନାକୁ ଲାଗୁ କରିବାର ସମୟ ଆସିଛି। ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ବହୁତ ମୁସ୍କିଲ। କାରଣ ଦଳ ଚାରି ବୋଲର ସହ ଆଗକୁ ବଢୁଛି ଏବଂ ଅଲରାଉଣ୍ଡର ମଧ୍ୟ ସାମିଲ ହେଉଛନ୍ତି। କିନ୍ତୁ ସବୁଠୁ ବଡ ପ୍ରଶ୍ନ ହୋଇଛି ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ। ପନ୍ତଙ୍କ ପ୍ରଦର୍ଶନ ଦେଖିଲେ ଟି-୨୦ରେ ତାଙ୍କୁ ସ୍ଥାନ ସୁରକ୍ଷିତ ଲାଗୁନାହିଁ।

ବାମହାତୀ ବ୍ୟାଟସମ୍ୟାନ ହୋଇଥିବା କାରଣରୁ କେବଳ ଦଳର ରଣନୀତି ଦୃଷ୍ଟିରୁ ତାଙ୍କୁ ଦଳରେ ସୁଯୋଗ ମିଳିପାରେ। ଯଦି ସାତ ବ୍ୟାଟସମ୍ୟାନ ଖେଳାଯିବ
ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂରା ଚାରି ଓଭର ବୋଲିଂ କରିବାକୁ ପଡିବ। ଅଷ୍ଟ୍ରେଲିଆ ବିପକ୍ଷ ଟେ୍ୱଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ରବିବାର ଭାରତୀୟ ଦଳ କଡା ଅଭ୍ୟାସ କରିଛି। ଏଥିରେ ବିରାଟ କୋହଲି ପ୍ରଥମ ଖେଳାଳି ଭାବେ ନେଟ୍ସକୁ ଆସିଥିଲେ। ସେ ମଧ୍ୟ ନେଟ୍ସରେ ଚମକ ଦେଖାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ବିଶେଷକରି ଦ୍ରୁତ ବୋଲରଙ୍କୁ ପୁଲ୍‌ ସଟ୍‌ ଖେଳିବା ଏବଂ ସ୍ପିନରଙ୍କ ବିପକ୍ଷରେ ଆଗକୁ ପାଦ ବାଇ ଖେଳିବା ସହିତ ଚମତ୍କାର ଢଙ୍ଗରେ
ଅଭ୍ୟାସ କରିଥିଲେ। ସେ ମୋଟ ୪୫ ମିନିଟରେ ଅଭ୍ୟାସ ମଧ୍ୟରେ ଅସଂଖ୍ୟ ରାଇଜିଂ ବଲର ସାମ୍ନା କରିଥିଲେ ଏବଂ ସର୍ଟ ବଲ୍ ଖେଳିବାର ସ୍ପଷ୍ଟ ସଂକେତ ଦେଇଥିଲେ। ଏହାପରେ ସେ ମଧ୍ୟ ସ୍ପିନରଙ୍କୁ ଆକ୍ରମଣ କରି ପଡ଼ିଆରେ ସିଧା ବାଉଣ୍ଡରୀ ମାରିଥିଲେ।

ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଟି-୨୦: ସେପ୍ଟେମ୍ବର ୨୦(ମୋହାଲି), ଦ୍ୱିତୀୟ ଟି-୨୦ ସେପ୍ଟେମ୍ବର ୨୩ (ନାଗପୁର) ଓ ତୃତୀୟ ଟି-୨୦: ସେପ୍ଟେମ୍ବର ୨୫ରେ ହାଇଦ୍ରାବାଦରେ ଖେଳାଯିବ।

Comments are closed.