ଏସିଆ କପ୍: ହଂକଂକୁ ୪୦ ରନରେ ହରାଇ ସୁପର-୪ରେ ଭାରତ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏସିଆ କପରେ ବୁଧବାର ନିଜ ଶେଷ ଗ୍ରୁପ୍ ମ୍ୟାଚରେ ହଂକଂକୁ ୪୦ ରନରେ ହରାଇଛି । ଦୁଇଟିରୁ ଦୁଇଟି ଯାକ ମ୍ୟାଚ୍ ଜିତି ଭାରତ ଗ୍ରୁପ୍‌-ଏ ଟପ୍ପର ହେବା ସହ ସୁପର-୪ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପ୍ରଥମ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ହରାଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସୂର୍ଯ୍ୟକୁମାର ଓ କୋହଲିଙ୍କ ବିସ୍ଫୋରକ ଇନିଂସ୍ ବଳରେ ୨ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା । ଏହାର ଜବାବରେ ହଂକଂ ୫ ୱିକେଟ୍ ହରାଇ ୧୫୨ ରନ୍ କରିବାକୁ ସମର୍ଥ ହୋଇଥିଲା । ହଂକଂ ତରଫରୁ ବାବର ହୟାତ ସର୍ବାଧିକ ୪୧ ରନ୍ କରିଥିବା ବେଳେ କିଞ୍ଚିତ ଶାହ ୩୦ ଓ ଜୀଶନ ଅଲ୍ଲୀ ଅପରାଜିତ ୨୬ ରନ୍ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର, ଅର୍ଶଦୀପ, ଜାଡେଜା ଓ ଅଭେଶ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ହଂକଂ ଅଧିନାୟକ ନିଜାକତ ଖାନ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ପ୍ରଥମ ଦୁଇ ଓଭର ବ୍ୟାଟିଂ କରିଥିଲେ। ହେଲେ ତୃତୀୟ ଓଭରରୁ ରୋହିତ ଆଟାକ ଆରମ୍ଭ କରିଥିଲେ।

କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ୨୧ ରନ କରି ଆୟୂଷ ଶୁକ୍ଳାଙ୍କ ବଲରେ ଆଉଟ ହୋଇଯାଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ ଅନ୍ୟତମ ଓପନର କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୫୬ ରନ ଯୋଡ଼ିଇଥିଲେ। ପ୍ରଥମ ମ୍ୟାଚରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ରାହୁଲ ଆଜି ୩୬ ରନ କରି ଆଉଟ ହୋଇଛନ୍ତି। ତାଙ୍କ ୱିକେଟ ଅପସ୍ପିନର ମହମ୍ମଦ ଘାଜନଫର ନେଇଛନ୍ତି।

୧୩ ଓଭର ସୁଦ୍ଧା ଭାରତ ୯୪ ରନରେ ୨ ୱିକେଟ ହରାଇଥିଲା। ବିରାଟ ମଧ୍ୟ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିଲେ। କିନ୍ତୁ ସୂର୍ଯ୍ୟ କୁମାର କ୍ରିଜକୁ ଆସିବା କ୍ଷଣି ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଶଟ ଦେଖି ବିରାଟ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତଗତିରେ ଆଗକୁ ନେଇଥିଲେ। ବିଶେଷ କରି ଦୁଇ ବ୍ୟାଟର ୧୬ତମ ଓଭରରେ ୨୦ ରନ ଆଦାୟ କରିଥିଲେ। ତେବେ ୧୭ତମ ଓଭରରେ କେବଳ ୪ ରନ ହାସଲ କରିପାରିଥିଲା ଭାରତ। ୧୮ତମ ଓଭରେ ସୂର୍ଯ୍ୟ କୁମାର ଲଗାତର ୨ଟି ଚୌକା ଓ ଗୋଟିଏ ଛକା ସହ ମୋଟ ୧୫ ରନ ହାସଲ କରିଥିଲେ।

୧୯ତମ ଓଭରର ପ୍ରଥମ ବଲରେ ବିରାଟ ଦୁଇ ରନ ହାସଲ କରି ୪୦ଟି ବଲରେ ନିଜର ୫୦ ରନ ପୂରଣ କରିଥିଲେ। ଏହା ବିରାଟଙ୍କ ୩୧ତମ ଟି-୨୦ ଅର୍ଦ୍ଧଶତକ ଥିଲା। ୧୯ତମ ଓଭରରେ ଭାରତ ମୋଟ ୧୩ ରନ ଆଦାୟ କରିପାରିଥିଲା।

ଶେଷ ଓଭରରେ ସୂର୍ଯ୍ୟ କୁମାର ହ୍ୟାଟ୍ରିକ ସହ ମୋଟ ୪ଟି ଛକା ମାରି ମାତ୍ର ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରଥିଲେ। ସୂର୍ଯ୍ୟ ତାଙ୍କ ବିସ୍ଫୋରକ ଇନିଂସରେ ୬ଟି ଛକା ଓ ୬ଟି ଚୌକା ମାରିଥିଲେ। ସେହିପରି ବିରାଟ ୩ଟି ଛକା ଓ ଗୋଟିଏ ଚୌକା ମାରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ମାତ୍ର ୪୦ ବଲରେ ଅବିଭକ୍ତ ୯୮ ରନ ଯୋଗ କରିଥିଲେ ।

Comments are closed.