ଯଶସ୍ବୀଙ୍କ ଶତକ: ନେପାଳକୁ ହରାଇ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ସେମିଫାଇନାଲରେ ଭାରତ

ହାଙ୍ଗଝୋ: ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଶତକ ଓ ସ୍ପିନରଙ୍କ ମାପଚୁପ ବୋଲିଂ ବଳରେ ଭାରତ ମଙ୍ଗଳବାର ଏଠାରେ ଏସୀୟ କ୍ରୀଡ଼ା ପୁରୁଷ ଟି -୨୦ କ୍ରିକେଟ୍ କ୍ବାର୍ଟର ଫାଇନାଲରେ ନେପାଳକୁ ୨୩ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

ଜୈସୱାଲ ୪୯ ଟି ବଲରେ ୮ଟି ଚୌକା ଓ ୭ଟି ଛକା ସହ ୧୦୦ ରନ୍ କରିଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରି ଚାରି ୱିକେଟ୍ ବିନିମୟରେ ୨୦୨ ରନ୍ କରିଥିଲା । ଏହାପରେ ନେପାଳର ଇନିଂସକୁ ୧୭୯/୯ ରେ ସୀମିତ ରଖି ଭାରତ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଥିଲା।

ଅଧିନାୟକ ଋତୁରାଜ ଗାଏକୱାଡ (୨୩ ବଲରେ ୨୫ ରନ୍)ଙ୍କ ସହ ମିଶି ଜୈସଓ୍ବାଲ ୫୯ ବଲରେ ୧୦୩ ରନର ଶତକ ଭାଗିଦାରୀ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ଏହାପରେ ଶିବମ୍ ଦୁବେ (୧୯ଟି ବଲରେ ଅପରାଜିତ ୨୫ ) ଏବଂ ରିଙ୍କୁ ସିଂ (୧୫ଟି ବଲରେ ଅପରାଜିତ ୩୭) ଶେଷ ୨୨ଟି ବଲରେ ୫୨ ରନ୍ ସଂଗ୍ରହ କରି ଭାରତର ସ୍କୋରକୁ ୨୦୦ ପାର କରାଇଥିଲେ । ରିଙ୍କୁ ଦୁଇଟି ଚେକା ଓ ୪ଟି ଛକା ମାରିଥିବାବେଳେ ଦୁବେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଭାରତ ପ୍ରଦତ୍ତ ଟାର୍ଗେଟକୁ ପିଛାକରି ନେପାଳ ଲଢୁଆ ବ୍ୟାଟିଂ କରିଥିଲା । ଦଳ ଏକଦା ୧୩ ଓଭରରେ ୪ ୱିକେଟ୍ ହରାଇ ୧୨୦ ରନ୍ ସ୍କୋର କରି ଭଲ ସ୍ଥିତିରେ ଥିଲା । କିନ୍ତୁ ବିଷ୍ଣୋଇ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଦୀପେନ୍ଦ୍ର ସିଂ ଆରି (୧୫ ବଲରେ ୩୨ ରନ୍) ଏବଂ ଅର୍ଶଦୀପ ସନ୍ଦୀପ ଜୋରାଙ୍କୁ (୧୨ ବଲରେ ୨୯ ରନ୍) ଆଉଟ୍ କରି ମ୍ୟାଚ୍‌ରେ ଭାରତର ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଖୋଲିଥିଲେ । ପଞ୍ଚମ ୱିକେଟ୍ ପାଇଁ ମାତ୍ର ୨୦ ବଲରେ ୪୫ ରନର ଭାଗିଦାରୀ କରି ଉଭୟ କିଛି ସମୟ ପାଇଁ ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ ।

ଏହି ହାଇ ସ୍କୋରିଂ ମ୍ୟାଚ୍‌ରେ ବିଷ୍ଣୋଇ ଏବଂ ନାବଗତ ସାଇ କିଶୋର ନେପାଳର ରନ୍ ହାର ରୋକିବା ସହ ଦଳକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ବିଷ୍ଣୋଇ ୪ ଓଭରରେ ୨୪ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇଥିବା ବେଳେ ସାଇ କିଶୋର ୪ ଓଭରରୁ ୨୫ ରନ୍ ବ୍ୟୟ କରି ଗୋଟିଏ ଓ୍ବିକେଟ୍ ପାଇଥିଲେ ।

Comments are closed.