ଜୁନିଅର ଏସିଆ କପ୍ ହକି: ପାକିସ୍ତାନକୁ ହରାଇ ଭାରତ ଜିତିଲା ଚତୁର୍ଥ ଟାଇଟଲ୍

ସାଲାଲା (ଓମାନ): ଜୁନିଅର ଏସିଆ କପ୍ ହକିରେ ଭାରତୀୟ ଦଳ ଚାମ୍ପିୟନ ହୋଇଛି । ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ହରାଇ ଟାଇଟଲ୍ ଜିତିଛି ।

ଏହି ବିଜୟ ସହ ଜୁନିୟର ଭାରତୀୟ ହକି ଦଳ ଇତିହାସ ରଚିଛି । ଭାରତ ସର୍ବାଧିକ ଚତୁର୍ଥ ଥର ଏସୀୟ ଟାଇଟଲ ଜିତିଛି | ଏଥିସହ ପାକିସ୍ତାନ (୩ ଟାଇଟଲ୍)କୁ ପଛରେ ପକାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ସଫଳ ଦଳ ହୋଇଛି ।

ଉଲ୍ଲେଖଯୋଗ୍ୟ, ଜୁନିୟର ଏସିଆ କପ୍ ୮ ବର୍ଷ ପରେ ଅନୁଷ୍ଠିତ ହୋଇଥିଲା | ଶେଷ ଥର ପାଇଁ ଏହି ଟୁର୍ନାମେଣ୍ଟ ୨୦୧୫ରେ ମାଲେସିଆରେ ଖେଳାଯାଇଥିଲା | ଏଥର ପୂରା ସିଜନରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ କୋରିଆକୁ ୯-୧ରେ ହରାଇଥିଲା । ଅନ୍ୟପକ୍ଷରେ ପାକିସ୍ତାନ ସେମିରେ ମାଲେସିଆକୁ ୬-୨ରେ ପରାସ୍ତ କରିଥିଲା।

ଉତ୍ତମ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଚାରିଟି ମ୍ୟାଚରୁ ତିନିଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା |

ଭାରତର ଗ୍ରୁପରେ ପାକିସ୍ତାନ, ଥାଇଲ୍ୟାଣ୍ଡ, ଜାପାନ ଏବଂ ଚାଇନିଜ୍ ତାଇପେଇ ଭଳି ଦଳ ଥିଲେ। ଗ୍ରୁପ୍ ମ୍ୟାଚ୍ ରେ ଭାରତ ୩୯ ଗୋଲ୍ ସ୍କୋର କରିଥିବାବେଳେ କେବଳ ଦୁଇଟି ଗୋଲ୍ ଖାଇଥିଲା । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୦ ଗୋଲ ସ୍କୋର କରିଥିଲା ଏବଂ କେବଳ ୪ଟି ଗୋଲ ଖାଇଥିଲା |

Comments are closed.