ପ୍ରଥମ ଟେଷ୍ଟରେ ଭାରତ ଚମତ୍କାର ବିଜୟ, ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା

ସେଞ୍ଚୁରିଅନ: ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଚମତ୍କାର ବିଜୟ ହାସଲ କରିଛି । ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି | ଭାରତ ପ୍ରଦତ୍ତ ୩୦୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସର ଲଞ୍ଚ୍ ବିରତି ପରେ ୧୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ସେଞ୍ଚୁରିଅନରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ | ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ସେଞ୍ଚୁରିଅନ ହେଉଛି ୫୬ତମ ଗ୍ରାଉଣ୍ଡ ଯେଉଁଠାରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ଜିତିଛି | ଏହା ସହ ଭାରତ ସର୍ବାଧିକ ଗ୍ରାଉଣ୍ଡରେ ଟେଷ୍ଟ ଜିତି ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି।

ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ତରଫରୁ କ୍ୟାପଟେନ ଡିନ ଏଲଗାର ସର୍ବାଧିକ ୭୭ ରନ୍ କରିଥିଲେ। ଶାମି ଏବଂ ବୁମ୍ରା ପ୍ରତ୍ୟେକ 3 ୱିକେଟ୍ ନେଇଥିଲେ। ଭାରତ ପାଇଁ ମହମ୍ମଦ ସିରାଜ ଏବଂ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ପୁରା ମ୍ୟାଚ୍‌ରେ ଶାମି ୮ ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା କେଏଲ୍ ରାହୁଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Comments are closed.