କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଛି ଭାରତ । ଆତଙ୍କବାଦ ନିରୋଧ ଆଇନ ‘ୟୁଏପିଏ’ ଅଧୀନରେ ଗୃହ ମନ୍ତ୍ରଣାଳୟ ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖବୀରକୁ ଆତଙ୍କବାଦୀ ତାଲିକାଭୁକ୍ତ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ୨୦୨୧ରେ ମୋହାଲିର ପଞ୍ଜାବ ପୋଲିସ ଇଣ୍ଟେଲିଜେନ୍ସ ମୁଖ୍ୟାଳୟ ଉପରେ ହୋଇଥିବା ରକେଟ୍ ଆକ୍ରମଣ ସହ ଅନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ଲାଣ୍ଡା ।

୧୯୮୯ରେ ପଞ୍ଜାବର ତରନ ତାରନ ଜିଲ୍ଲାରେ ଜନ୍ମ ହୋଇଥିବା ଲାଣ୍ଡା ୨୦୧୭ରେ କାନାଡାକୁ ପଳାଇଥିଲା । ଗୃହ ମନ୍ତ୍ରଣାଳୟ ତାକୁ କୁଖ୍ୟାତ ଖଲିସ୍ତାନୀ ଗୋଷ୍ଠୀର ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ସଦସ୍ୟ ରୂପେ ଚିହ୍ନଟ କରିଛି। ପାକିସ୍ତାନରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ହରିନ୍ଦର ସିଂ ଓରଫ ରିଣ୍ଡା ସହ ଲାଣ୍ଡାର ଘନିଷ୍ଠ ସମ୍ପର୍କ ରହିଛି।

ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି, ଆତଙ୍କବାଦୀ ମଡ୍ୟୁଲ ଗଠନ, ଚୋରାଚାଲାଣ, ହତ୍ୟା, ଆଇଡି ଲଗାଇବା, ଅସ୍ତ୍ରଶସ୍ତ୍ର ତଥା ନିଶା କାରବାର ଓ ପଞ୍ଜାବ ସହ ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ପାଣ୍ଠିର ବ୍ୟବହାର ସହ ଜଡ଼ିତ ଅନେକ ଅପରାଧିକ ମାମଲାରେ ଲାଣ୍ଡାର ସମ୍ପୃକ୍ତି ରହିଛି । ଜଷ୍ଟିସ ଫର୍ ଶିଖର ଗୁରୁପତୱନ୍ତ ସିଂ ପନ୍ନୁ ଓ ଖାଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍)ର ନିହତ ନେତା ହାର୍ଦ୍ଦିକ ସିଂ ନିଜ୍ଜର ସମେତ କାନାଡା ଭିତ୍ତିକ ଅନେକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଲଣ୍ଡାର ଘନିଷ୍ଠ ସମ୍ପର୍କ ରହିଛି।

Comments are closed.