ଆଜି ତୃତୀୟ ଦିନିକିଆ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ

ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ସୋମବାର ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ବିଜୟ ପରେ ଭାରତ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ସିିରିଜ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିବ ।

ପ୍ରଥମ ଦୁଇଟି ମ୍ୟାଚରେ ଘରୋଇ ଦଳକୁ ସବୁ ବିଭାଗରେ ବହୁ ପଛରେ ପକାଇଥିଲା ଭାରତ । ତୃତୀୟ ଦିନିକିଆରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିପାରେ । ସିରିଜ୍ କବଜା ହୋଇସାରିଥିବା ବେଳେ ଭାରତ ତୃତୀୟ ଦିନିକିଆରେ ଆସନ୍ତା ବର୍ଷର ବିଶ୍ୱକପକୁ ଦୃଷ୍ଟିରେ ରଖି ପରୀକ୍ଷା ନିରୀକ୍ଷା ଜାରି ରଖିବ । କ୍ୟାପଟେନ ରାହୁଲ ଚଳିତ ସିରିଜରେ ଯୁବ ଖେଳାଳିଙ୍କୁ ସୁଯୋଗର ଫାଇଦା ଉଠାଇ ଦଳରେ ସ୍ଥାନ ସୁଦୃଢ କରିବା ପାଇଁ ଉତ୍ସାହିତ କରିଛନ୍ତି । ଆଗକୁ ବଡ଼ ଟୁର୍ଣ୍ଣାମେଣ୍ଟ ରହିଥିବା ବେଳେ ଏହି ଭାରତୀୟ ଦଳ ପାଇଁ ଚଳିତ ସିରିଜ ଏକ ପ୍ରସ୍ତୁତି ସଦୃଶ ହୋଇଛି । ଟିମ୍ ଇଣ୍ଡିଆ ବିରୋଧୀ ଦଳ ଠାରୁ ଟିକିଏ ଚ୍ୟାଲେଞ୍ଜର ଆଶା କରୁଥିଲା, ଯାହା ସେମାନଙ୍କ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବା ପାଇଁ ସହାୟକ ହୋଇଥାନ୍ତା । ତଥାପି ଶୀର୍ଷ ସ୍ତରରେ ଅଧିକ ସୁଯୋଗ ଚାହୁଁଥିବା ଖେଳାଳିଙ୍କ ପାଇଁ ଏହି ଛୋଟିଆ ଗସ୍ତ ଏକ ପ୍ରକାର ଶିକ୍ଷଣୀୟ ଅନୁଭୂତି ହୋଇଛି ।

ଜିମ୍ବାୱେ ନିଜ ବ୍ୟାଟିଂରେ ଉନ୍ନତି ଆଣିବାକୁ ବ୍ୟଗ୍ର । ପ୍ରଥମ ଦୁଇଟି ମ୍ୟାଚରେ ଦଳ ୨୦୦ ରନ୍ ଟପିବାରେ ବିଫଳ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ମାତ୍ର ୧୬୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ଏକ ଯୁବ ଦଳକୁ ଖେଳାଉଥିଲେ ମଧ୍ୟ ଜିମ୍ବାୱେର ଏହି ଅନଭିଜ୍ଞ ବୋଲିଂ ଲାଇନ୍ ଅପ୍ ଭାରତୀୟ ବ୍ୟାଟିଂ ଲାଇନ ଅପକୁ ସେଭଳି ଚ୍ୟାଲେଞ୍ଜ କରିପାରି ନାହିଁ । ଏଭଳି ସ୍ଥଳେ ତୃତୀୟ ଦିନିକିଆରେ ଜିମ୍ବାୱେ ନିଜ ବ୍ୟାଟିଂରେ ସୁଧାର ଆଣିବାକୁ ଉଦ୍ୟମ କରିବ ।

ପ୍ରଥମେ ୱେଷ୍ଟଇଣ୍ଡିଜ୍ ଗସ୍ତ ଓ ଏବେ ଜିମ୍ବାୱେରେ ପ୍ରତିଭାବାନ ଓପନର ଶୁଭମାନ ଗିଲ୍ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସେ ଏତିକିରେ ସନ୍ତୁଷ୍ଟ ହେବା ପରିବର୍ତ୍ତେ ଜିମ୍ବାୱେ ବୋଲରଙ୍କୁ ପୁଣି ନିର୍ଧୁମ ପ୍ରହାର ଲକ୍ଷ୍ୟରେ ରହିବେ । ଦ୍ୱିତୀୟ ମ୍ୟାଚରେ ଅଧିନାୟକ ରାହୁଲ ନିଜକୁ ଓପନର ଭାବେ ପ୍ରମୋଟ କରିବା ରଣନୀତି କାମ ଦେଇନଥିଲା । ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଆଗକୁ ଏସିଆ କପ୍ ଥିବାରୁ ଏବଂ ସେ ଦୀର୍ଘ ଦିନ ପରେ ଆକ୍ସନକୁ ଫେରିଥିବାରୁ ସେ ତୃତୀୟ ଦିନିକିଆରେ ମଧ୍ୟ ଇନିଂସ୍ ଓପନ୍ କରିବା ସମ୍ଭାବନା ରହିଛି । କାରଣ ରାହୁଲ ଏସିଆ କପ୍ ପୂର୍ବରୁ ଅଧିକରୁ ଅଧିକ ସମୟ କ୍ରିଜରେ ବିତାଇବାକୁ ଚାହୁଁଛନ୍ତି । ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୯ଟି ବଲ ଯାଏଁ କ୍ରିଜରେ ରହିଥିଲେ ।

ପ୍ରମୁଖଙ୍କ ବୋଲରଙ୍କ ଅନୁପସ୍ଥିତିରେ ଭାରତର ବୋଲିଂ ଆକ୍ରମଣ ଚମତ୍କାର ପ୍ରଦର୍ଶନ କରିଛି, ଯାହା ଏହାର ଦକ୍ଷତାକୁ ପ୍ରତିପାଦିତ କରିଛି । ବିପକ୍ଷ ଦଳର ଅନଭିଜ୍ଞତା ଓ ଦୁର୍ବଳତା ସତ୍ତ୍ୱେ ଭାରତୀୟ ବୋଲରଙ୍କ ପ୍ରଦର୍ଶନକୁ ହେୟ ମନେ କରାଯାଇ ପାରିବ ନାହିଁ । ଦୀର୍ଘ ୬ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଦୀପକ ଚହରଙ୍କ ସମେତ ଶାର୍ଦ୍ଦୁଲ ଠାକୁର, ପ୍ରସଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ବ୍ୟାଟରଙ୍କ ମଧ୍ୟରେ ଇଶାନ କିଶାନ ଦ୍ୱିତୀୟ ଦିନିକିଆରେ ବିଫଳ ହୋଇଥିଲେ । ସେ ଯଦି ଆଉ ଏକ ସୁଯୋଗ ପାଆନ୍ତି, ତେବେ ତାର ଭରଣା କରିବାକୁ ଚାହିଁବେ ।

Comments are closed.