ହକି ବିଶ୍ୱକପ: ୱେଲ୍ସକୁ ହରାଇବା ସତ୍ତ୍ୱେ ଭାରତ ଦ୍ୱିତୀୟ, କ୍ବାର୍ଟରରେ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ ସହ ଖେଳିବ କ୍ରସ୍ ଓଭର ମ୍ୟାଚ୍

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଗୁରୁବାର ଭାରତ ନିଜ ଶେଷ ଗ୍ରୁପ୍ ମ୍ୟାଚରେ ୱେଲ୍ସକୁ ୪-୨ ଗୋଲରେ ହରାଇଛି । ତେବେ ଏହି ବିଜୟ ସତ୍ତ୍ୱେ ଭାରତ ପୁଲ୍ ‘ଡିି’ର ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଗ୍ରୁପର ଅନ୍ୟ ଏକ ମ୍ୟାଚରେ ସ୍ପେନକୁ ୪-୦ରେ ହରାଇଥିବା ଇଂଲଣ୍ଡ ପୁଲ୍ ଡିି’ ଟପର ହୋଇ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ଉଭୟ ଭାରତ ଓ ଇଂଲଣ୍ଡ ଦୁଇଟି ବିଜୟ ସହ ୭ ପଏଣ୍ଟ ପାଇ ଗ୍ରୁପ୍ ଅଭିଯାନ ଶେଷ କରିଥିଲେ । ତେବେ ଇଂଲଣ୍ଡ ଉନ୍ନତ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଗ୍ରୁପ୍ ବିଜେତା ଭାବେ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ଭାରତ ଏବେ କ୍ରସ୍ ଓଭରରେ ପୁଲ୍ ସି’ର ତୃତୀୟ ସ୍ଥାନ ହାସଲ କରିଥିବା ନ୍ୟୁଜିଲାଣ୍ଡକୁ ଜାନୁୟାରୀ ୨୨ରେ ଭେଟିବ ।

ଭାରତ-ୱେଲ୍ସ ମ୍ୟାଚ୍ ପୂର୍ବରୁ ପୁଲ୍ ଡି’ର ଆଉ ଏକ ମ୍ୟାଚରେ ଇଂଲଣ୍ଡ-ସ୍ପେନ ମୁହାଁମୁହିଁ ହୋଇଥିଲେ । ସ୍ପେନକୁ ୪-୦ରେ ହରାଇଥିଲା ଇଂଲଣ୍ଡ । ତେଣୁ ଗ୍ରୁପ୍ ଟପର ହେବା ପାଇଁ ଭାରତକୁ ୮ରୁ ଊର୍ଦ୍ଧ୍ୱ ଗୋଲ୍ ବ୍ୟବଧାନରେ ୱେଲ୍ସକୁ ହରାଇବା ଜରୁରୀ ଥିଲା । ଭାରତ ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ୱେଲ୍ସକୁ କେବଳ ୪-୨ରେ ହରାଇବାକୁ ସକ୍ଷମ ହୋଇଥିଲା । ଭାରତ ତରଫରୁ ଆକାଶଦୀପ ସିଂହ ଦୁଇଟି ଗୋଲ୍ ଦେଇଥିବା ବେଳେ ଶମସେର ସିଂହ ଓ ହରମନପ୍ରୀତ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ପ୍ରଥମ ଥର ବିଶ୍ୱକପ୍ ଖେଳୁଥିବା ୱେଲ୍ସ ମଧ୍ୟ ଭାରତକୁ କଡ଼ା ଟକ୍କର ଦେଇଥିଲା । ୱେଲ୍ସ ତରଫରୁ ଗେରେଥ୍ ଫର୍ଲାଗ ଓ ଡ୍ରାପର ଜାକୋବ୍ ଗୋଲ୍ ଦେଇଥିଲେ ।

ଭାରତ ବଡ଼ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲା । ହରମନପ୍ରୀତ୍କ ନେତୃତ୍ୱାଧୀନ ଦଳ ଆରାମ୍ଭରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଦଳ ୱେଲ୍ସ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା । ଘରୋଇ ଦଳ ବଲକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଥିଲା । ହେଲେ ୱେଲ୍ସର ଯୁବ ଦଳ ଭାରତୀୟ ଫରୱାର୍ଡ ବିଭାଗକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ବି ପେନାଲ୍ଟି କର୍ଣ୍ଣର ହାସଲ କରିପାରିନଥିଲା । ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା ।
ଭାରତ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଜୋସର ସହ ଖେଳିଥିଲା । ମ୍ୟାଚର ୧୬ତମ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ହରମନପ୍ରୀତ ସିଂଙ୍କ ସଟକୁ ବିପକ୍ଷ ଡିଫେଣ୍ଡର ରୋକିବାରେ ସଫଳ ହୋଇଥିଲେ । ଭାରତକୁ ପୁଣି ନିରାଶ ହେବାକୁ ପଡ଼ିଥିଲା ।

ଏହାପରେ ଭାରତକୁ ଗୋଲ୍ କରିବାକୁ ଆଉ ଏକ ସୁଯୋଗ ମିଳିଥିଲା । କିନ୍ତୁ ଏଥର ମଧ୍ୟ ହରମନପ୍ରୀତ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରିପାରିନଥିଲେ । ହେଲେ ରିବାଉଣ୍ଡରୁ ଶମସେର ସିଂହ ଚମତ୍କାର ଗୋଲ୍ କରି ଭାରତର ଖାତା ଖୋଲିଥିଲେ । ସେପଟେ ୱେଲ୍ସ ସ୍କୋରକୁ ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଜ୍ଞ ଭାରତୀୟ ଡିଫେନ୍ସ ପ୍ରତିପକ୍ଷ ଦଳକୁ ସୁଯୋଗ ଦେଇନଥିଲା । ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ବଜାୟ ରଖିଥିଲା ।

ଦ୍ୱିତୀୟାର୍ଦ୍ଧରେ ଭାରତ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା । ଆକାଶଦୀପ ୩୩ତମ ମିନିଟରେ ଭାରତର ଅଗ୍ରଣୀ ଦ୍ୱିଗୁଣିତ କରିଥିଲେ । ଫଲାର୍ଗୋଙ୍କ ଗୋଲ ବଳରେ ୱେଲ୍ସ ଗୋଟିଏ ଗୋଲ୍ ପରିଶୋଧ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚର ଉତ୍କଣ୍ଠା ଆହୁରି ବଢିଥିଲା । ଏହାର ତିନି ମିନିଟ୍ ପରେ ଆକାଶଦୀପ ପୁଣି ଏକ ଗୋଲ୍ ସ୍କୋର କରି ଭାରତ ଅଗ୍ରଣୀ ୩-୧ କରିଥିଲେ । ଜାକୋବଙ୍କ ଗୋଲ ବଳରେ ୱେଲ୍ସ ସ୍କୋରକୁ ୩-୨ କରି ଭାରତ ଉପରେ ଚାପ ପକାଇଥିଲା ।

ଶେଷ ମୁହୂର୍ତ୍ତରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଅଧିନାୟକ ହରମନପ୍ରୀତ ଏହାକୁ ଗୋଲରେ ରୂପାନ୍ତର କରି ଭାରତର ୪-୨ ବିଜୟ ନିଶ୍ଚିତ କରିଥିଲେ ।

Comments are closed.