ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ମାସରେ ବୈଠକ ପାଇଁ ପାକିସ୍ତାନର ଏନ୍ଏସ୍ଏକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ସ୍ଥିତିକୁ ନେଇ ଆସନ୍ତା ମାସରେ ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ର ଏକ ବୈଠକ ଅନୁଷ୍ଠିତ ହେବ। ଭାରତ ଏହାକୁ ଆୟୋଜନ କରିବ। ଏହି ବୈଠକରେ ରୁଷ୍ ଏବଂ ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଅଧ୍ୟକ୍ଷତା କରିବେ। ଏହି ଆଞ୍ଚଳିକ ସମ୍ମିଳନୀରେ ଚୀନ୍, ଇରାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟ ନିମନ୍ତ୍ରିତ ହୋଇଥିବା ଜଣାପଡିଛି। ଏଥିରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ସୃଷ୍ଟ ମାନବୀୟ ସଙ୍କଟ ଉପରେ ଆଲୋଚନା ହେବ। ଏଥିସହ ସୁରକ୍ଷା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ।

ନଭେମ୍ବର ୧୦-୧୧ରେ ପ୍ରସ୍ତାବିତ ଆଲୋଚନା ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ଏହି ସମ୍ମିଳନୀ ୨୦୧୯ରେ ଇରାନରେ ପୂର୍ବରୁ ଆୟୋଜିତ ହୋଇଥିବା ଆଞ୍ଚଳିକ ସୁରକ୍ଷା ସମ୍ମିଳନୀ ଫର୍ମାଟ ଅନୁଯାୟୀ ହେବ। ଏନ୍ଏସ୍ଏ ସ୍ତରୀୟ ବୈଠକକୁ ଆମନ୍ତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରେ ଆଫଗାନିସ୍ତାନର ପଡୋଶୀ ରୁଷ, ଚୀନ୍, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟ ଅଛନ୍ତି। ପାକିସ୍ତାନର ଏନଏସଏ ମୋଇଦ ୟୁସୁଫଙ୍କୁ ମଧ୍ୟ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି, ଯଦିଓ ସମ୍ମିଳନୀ ତଥା ନିମନ୍ତ୍ରଣ ନେଇ ସରକାରୀ ସ୍ତରରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ତଥାପି ଏହି ବୈଠକ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ତେବେ ତାଲିବାନକୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇ ନାହିଁ। ନଭେମ୍ବରର ଦ୍ୱିତୀୟ ସପ୍ତାହରେ ଏହି ବୈଠକ ଆୟୋଜନ ପ୍ରସ୍ତାବ ଦିଆଯାଇଛି।

Comments are closed.