ଟିକା ନେଲେ ମିଳିବ ଟିଭି, ସ୍ମାର୍ଟ ଫୋନ୍, ଟିକା ନେଉଥିବା ଲୋକଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି । ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅନେକ ଯୋଜନା ଗ୍ରହଣ କରାଯାଇଛି । ଏବେ ମଣିପୁରରେ ଟିକା ନେଉଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ପୁରସ୍କାରମାନ ଘୋଷଣା କରାଯାଇଛି | ଟିକା ନେଉଥିବା ଲୋକଙ୍କୁ ଟିଭି ଏବଂ ସ୍ମାର୍ଟ ଫୋନ୍ ଜିତିବାର ସୁଯୋଗ ମିଳିଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଏକ ମେଗା ଟିକାକରଣ ଶିବିର ଆୟୋଜନ କରାଯିବ। ଏହି ଶିବିରରେ ଯେଉଁମାନେ କରୋନା ଟିକା ନେବେ, ସେମାନେ ଟେଲିଭିଜନ୍ ସେଟ୍, ମୋବାଇଲ୍ ଫୋନ୍ କିମ୍ବା କମ୍ବଳ ଜିତିବାର ସୁଯୋଗ ପାଇବେ |

ଅଧିକାରୀ କହିଛନ୍ତି ଯେ ଇମ୍ଫାଲ ପଶ୍ଚିମ ଜିଲ୍ଲା ପ୍ରଶାସନ ଟିକାକରଣ କଭରେଜ୍ ବୃଦ୍ଧି କରିବାକୁ ଚାହୁଁଛି। ଏଥିପାଇଁ ପ୍ରଶାସନ ଏକ ମେଗା ଟିକାକରଣ ଶିବିର ସହ ବମ୍ପର ଡ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ଅକ୍ଟୋବର ୨୫, ଅକ୍ଟୋବର ୩୧ ଏବଂ ନଭେମ୍ବର ୭ରେ ଜିଲ୍ଲାର ତିନୋଟି କେନ୍ଦ୍ରରେ ଏହି ଟିକାକରଣ ଶିବିର ଆୟୋଜନ କରାଯିବ। ଏ ସମ୍ପର୍କରେ ଇମ୍ଫାଲ ପଶ୍ଚିମ ଜିଲ୍ଲା ଡେପୁଟି କମିଶନର ଟିଏଚ୍ କିରଣକୁମାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ତିନୋଟି କେନ୍ଦ୍ରରେ ଟିକା ନେଉଥିବା ଲୋକ
ବମ୍ପର ଡ୍ରରେ ଅଂଶଗ୍ରହଣ କରି ପୁରସ୍କାର ଜିତିବାର ସୁଯୋଗ ପାଇବ ବୋଲି କୁହାଯାଇଛି ।

ପ୍ରଥମ ପୁରସ୍କାର ହେଉଛି ଏକ ବଡ଼ ପରଦା ବିଶିଷ୍ଟ ଟିଭି ସେଟ୍, ଦ୍ୱିତୀୟ ପୁରସ୍କାର ମୋବାଇଲ୍ ଫୋନ୍ ଏବଂ ତୃତୀୟ ପୁରସ୍କାର ଭାବେ କମ୍ବଳ ଦିଆଯିବ । ଏହାଛଡ଼ା ଅନ୍ୟ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଟିକାର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏହି ବମ୍ଫର ଡ୍ର’ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ।

ଇମ୍ଫାଲ ପଶ୍ଚିମ ଜିଲ୍ଲାର ଜିଏମ୍ ହଲ୍, ପୋଲୋ ଗ୍ରାଉଣ୍ଡ ଏବଂ ଧର୍ମଶାଳା ଅବସ୍ଥିତ ତିନୋଟି କେନ୍ଦ୍ରରେ ଏହି ଟିକାକରଣ ଶିବିର କରାଯିବ। ରାଜ୍ୟର ସମସ୍ତ ୧୬ଟି ଜିଲ୍ଲା ମଧ୍ୟରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଜନସଂଖ୍ୟା ସର୍ବାଧିକ | ଏହି କାରଣରୁ ପ୍ରଶାସନ ଏଠାରେ ସମସ୍ତଙ୍କ ଶୀଘ୍ର ଟିକାକରଣ କରିବାକୁ ଚାହୁଁଛି। ଭାଗ୍ୟଶାଳୀ ଡ୍ର ଦ୍ୱାରା ବିଜେତାଙ୍କ ନାମ ସ୍ଥିର ହେବ |

ଅନ୍ୟପକ୍ଷେ ଭାରତରେ ଟିକାକରଣ ସମ୍ପର୍କରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୯୭,୬୫,୮୯,୫୪୦ ଲୋକଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୧,୨୦,୭୭୨ ଲୋକଙ୍କୁ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧୦୧.୭ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକା ଉପଲବ୍ଧ କରାଯାଇଛି।

Comments are closed.