ଜୁନିୟର ହକି ବିଶ୍ୱକପ: ସେମିରେ ଜର୍ମାନୀ ଠାରୁ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଭୁବନେଶ୍ୱର: ଡିଫେଣ୍ଡିଂ ଚାମ୍ପିୟନ ଭାରତର ଟାଇଟଲ ବଜାୟ ରଖିବା ଆଶା ଧୂଳିସାତ ୍ ହୋଇଛି । ଜୁନିୟର ହକି ବିଶ୍ୱକପରେ ଶୁକ୍ରବାର ଅନଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪-୨ ଗୋଲରେ ୬ ଥରର ଚାମ୍ପିୟନ ଜର୍ମାନୀ ଠାରୁ ହାରିଯାଇଛି । ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ମୁକାବିଲା ପ୍ରଥମ ସେମିର ପରାଜିତ ଦଳ ଫ୍ରାନ୍ସ ସହ ହେବ । ଅନ୍ୟପକ୍ଷେ ଜର୍ମାନୀ ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ।

ଜର୍ମାନୀ ତରଫରୁ କେଲେନ୍ ଏରିକ୍‌, ହୋଲଜମ୍ୟୁଲର ଫିଲିପ୍‌, ମ୍ୟୁଲର ହାନ୍ସ ଓ ଖ୍ରୀଷ୍ଟୋଫର କଟର ଗୋଲ୍ ସ୍କୋର କରିଥିଲେ । ଭାରତ ତରଫରୁ ଉତ୍ତମ ସିଂହ ଓ ବବି ସିଂ ଧାମି ଗୋଲ୍ ଦେଇଥିଲେ । ଜର୍ମାନୀ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ଭାରତକୁ ଚାପରେ ରଖିଥିଲା । ପ୍ରଥମ କ୍ୱାର୍ଟରରେ ଜର୍ମାନୀ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଏହି ୟୁରୋପୀୟ ଦଳକୁ ରୋକିବାରେ ସଫଳ ହୋଇଥିଲେ । ତେବେ ୧୫ତମ ମିନିଟରେ ଏରିକ କେଲେନଙ୍କ ଗୋଲ ବଳରେ ଜର୍ମାନୀ ଅଗ୍ରଣୀ ହାସଲ କରିଥିଲା ।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ ସହ ବହୁଥର ଜର୍ମାନୀ ରକ୍ଷଣଭାଗ ଭେଦ କରିଥିଲେ ମଧ୍ୟ ଗୋଲ୍ ସ୍କୋରିଂ ସୁଯୋଗ ସୃଷ୍ଟି କରିପାରିନଥିଲା । ଜର୍ମାନୀ ଭାରତୀୟ ରକ୍ଷଣଭାଗର ଦୁର୍ବଳ ପ୍ରଦର୍ଶନରୁ ଫାଇଦା ଉଠାଇ ୨୦ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ୨-୦ରେ ଆଗୁଆ ହୋଇଥିଲା । ଜର୍ମାନୀ ତରଫରୁ ଦ୍ୱିତୀୟ ଗୋଲ୍ ଫିଲିଫ୍ ହୋଲ୍‌ଜମ୍ୟୁଲର କରିଥିଲେ । ପୁଣି ଚାରି ମିନିଟ୍ ପରେ ଅଧିନାୟକ ହାନ୍ସ ମ୍ୟୁଲରଙ୍କ ଗୋଲ୍ ବଳରେ ଜର୍ମାନୀ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଥିଲା । ଭାରତ ଉପରେ ଚାପ ବଢି ଚାଲିଥିଲା ।

ମ୍ୟାଚର ୨୫ତମ ମିନିଟରେ ଉତ୍ତମ ସିଂ ଭାରତର ଖାତା ଖୋଲିଥିଲେ । ଏକ ଚମତ୍କାର ଫିଲ୍ଡ ଗୋଲ ସହ ସେ ସ୍କୋର ବ୍ୟବଧାନକୁ ୧-୩ କରିଥିଲେ । କିନ୍ତୁ ଜର୍ମାନୀ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ପରବର୍ତ୍ତୀ ମିନିଟରେ ଜର୍ମାନୀ ପାଇଁ ଚତୁର୍ଥ ଗୋଲ୍ ଦେଇଥିଲେ । ଫଳରେ ଭାରତର ଆଶା ମଉଳିବା ଆରମ୍ଭ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଜର୍ମାନୀ ୪-୧ରେ ଅଗ୍ରଣୀ ରହିଥିଲା ।

ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖି ଭାରତକୁ ସ୍କୋରିଂ ସୁଯୋଗରୁ ବଞ୍ଚିତ କରିଥିଲା । ଯଦିଓ ଭାରତ ମ୍ୟାଚକୁ ଫେରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା, ଜର୍ମାନୀର ରକ୍ଷଣଭାଗ ଦୃଢ ପ୍ରଦର୍ଶନ ସହ ଘରୋଇ ଦଳର ଚ୍ୟାଲେଞ୍ଜ ପ୍ରତିହତ କରିଥିଲେ । ଶେଷ ମୁହୂର୍ତ୍ତରେ ବବି ସିଂ ଧାମି ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ।

ଜର୍ମାନୀ ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ । ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ସୁଟ୍ ଆଉଟରେ ଫ୍ରାନ୍ସକୁ ୩-୧ରେ ହରାଇ ୧୬ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଥିଲା । ଆର୍ଜେଣ୍ଟିନା ଶେଷଥର ୨୦୦୫ରେ ଚାମ୍ପିୟନ ହୋଇଥିଲା ।

Comments are closed.