ଅଢ଼େଇ ବର୍ଷ ପରେ ପରସ୍ପରର କୂଟନୀତିଜ୍ଞଙ୍କୁ ଭିସା ଜାରି କଲେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ଦୀର୍ଘ ଅଢ଼େଇ ବର୍ଷର ବ୍ୟବଧାନ ପରେ କୂଟନୈତିକ ସ୍ତରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବରଫ ତରଳିବା ଆରମ୍ଭ କରିଛି। ୨୮ ମାସ ପରେ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ଭିସା ପ୍ରଦାନ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୫, ୨୦୨୧ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଆବେଦନ ଉପରେ ଭାରତ ଏବଂ ପାକିସ୍ତାନ ଭିସା ଜାରି କରିଛନ୍ତି। ପାକିସ୍ତାନର ମୋଟ ୭ ଜଣ କୂଟନୀତିଜ୍ଞଙ୍କୁ ଭାରତ ଭିସା ପ୍ରଦାନ କରିଥିବାବେଳେ ପାକିସ୍ତାନ ଭାରତର ୩୩ ଅଧିକାରୀଙ୍କୁ ଭିସା ମଞ୍ଜୁର କରିଛି। ଉଭୟ ଦେଶ ଆଗାମୀ ଦିନରେ ଅଧିକ କୂଟନୀତିଜ୍ଞଙ୍କୁ ଭିସା ପ୍ରଦାନ କରିବା ସମ୍ଭାବନା ରହିଛି

ସୂଚନାଯୋଗ୍ୟ ଯେ କିଛି ରିପୋର୍ଟ ଦାବି କରାଯାଇଛି ଯେ ବ୍ୟାକଚାନେଲ ମାଧ୍ୟମରେ ଦୁବାଇରେ ଭାରତ ଏବଂ ପାକିସ୍ତାନ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଉଭୟ ଦେଶର ସେନା ମଧ୍ୟ ଚଳିତ ବର୍ଷ ଫେବୃଆରୀରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

୨୦୧୯ ମସିହାରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣରେ ୪୦ ସିଆରପିଏଫ୍ କର୍ମଚାରୀ ସହିଦ୍ ହୋଇଥିଲେ।

Comments are closed.