ବ୍ରିଟେନର ନୂଆ କୋଭିଡ୍ ନିୟମକୁ ଭାରତର ବିରୋଧ, ଦୁଇ ଡୋଜ୍ ଟିକା ନେଇଥିଲେ ବି ଭାରତୀୟ ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ

ନୂଆଦିଲ୍ଲୀ: ବ୍ରିଟେନର ନୂଆ କୋଭିଡ -୧୯ ନିୟମ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ରିଟେନର ଏହି ନୂଆ ନିୟମ ଭେଦଭାବପୂର୍ଣ୍ଣ ବୋଲି ଭାରତ ଅଭିଯୋଗ କରିଛି। ଏହାର କାରଣ ହେଉଛି ବ୍ରିଟେନର ଏହି ନିୟମ ଅନୁଯାୟୀ ଯେଉଁମାନେ ‘କୋଭିଶିଲ୍ଡ’ ଟିକା ନେଇଛନ୍ତି ସେମାନଙ୍କୁ “ଅନଭାକ୍ସିନେଟେଡ୍” ବା ଟିକା ନେଇନାହାନ୍ତି ବୋଲି ଧରାଯିବ । ଯେଉଁମାନେ ଅକ୍ସଫୋର୍ଡ ଆଷ୍ଟ୍ରା ଜେନେକା ଟିକା ଗ୍ରହଣ କରିଛନ୍ତି ସେମାନଙ୍କୁ ସ୍ୱୀକୃତି ଦିଆଯିବ।

ବ୍ରିଟେନ ବିଦେଶୀ ଯାତ୍ରୀଙ୍କ ପାଇଁ ଏବେ
ନାଲି, ଅମ୍ବର ଏବଂ ସବୁଜ ଭାବେ ତିନୋଟି ପୃଥକ ତାଲିକା ପ୍ରସ୍ତୁତ କରିଛି | ବିପଦ ସ୍ତର ଅନୁଯାୟୀ ବିଭିନ୍ନ ଦେଶକୁ ଏହି ତିନି ତାଲିକାରେ ରଖାଯାଇଛି। ଯଦି କୌଣସି ଦେଶ ନାଲି ତାଲିକାରେ ଅଛି, ତା’ହେଲେ ଉକ୍ତ ଦେଶରୁ ଆସୁଥିବା ଯାତ୍ରୀ ବ୍ରିଟେନରେ ପହଞ୍ଚିବା ପରେ ୧୦ ଦିନ ହୋଟେଲ କ୍ବାରେଣ୍ଟାଇନରେ ରହିବାକୁ ହେବ ଏବଂ ତାଙ୍କୁ ଏହି ଅବଧି ଶେଷ ହେବାର ୨ ଦିନ ପୂର୍ବରୁ କରୋନା ପରୀକ୍ଷା ମଧ୍ୟ କରିବାକୁ ପଡିବ | ଯେଉଁ ଲୋକମାନେ ଟିକାର ଉଭୟ ଡୋଜ୍ ନେଇଛନ୍ତି ସେମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ପଡ଼ିବ | କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ କଲେ ୧୦,୦୦୦ ପାଉଣ୍ଡ ପର୍ଯ୍ୟନ୍ତ ଜୋରିମାନା ହେବ | ଏହା ବ୍ୟତୀତ ଯଦି କୌଣସି ଯାତ୍ରୀ ନେଗେଟିଭ୍ ଆରଟି-ପିସିଆର୍ ପରୀକ୍ଷା ବିନା ବ୍ରିଟେନରେ ପହଞ୍ଚନ୍ତି, ତେବେ ତାଙ୍କୁ ୫ ହଜାର ପାଉଣ୍ଡ ଜୋରିମାନା କରାଯାଇପାରେ |

ବ୍ରିଟେନ ବର୍ତ୍ତମାନ ଭାରତକୁ ଅମ୍ବର୍ ତାଲିକାରେ ସ୍ଥାନିତ କରିଛି। ଅର୍ଥାତ୍ ଭାରତରୁ ବ୍ରିଟେନ ଯାଉଥିବା ଯାତ୍ରୀମାନଙ୍କୁ ଯାତ୍ରାର ତିନି ଦିନ ପୂର୍ବରୁ କୋଭିଡ -୧୯ ପରୀକ୍ଷା ଦେବାକୁ ପଡିବ | ତାହା ନକରିବା ଦ୍ୱାରା ଯାତ୍ରୀଙ୍କ ଉପରେ ୫୦୦ ଟଙ୍କା ପାଉଣ୍ଡ ଜୋରିମାନା ହେବ। ବ୍ରିଟେନରେ ପହଞ୍ଚିବାର ଦ୍ୱିତୀୟ ଦିନରେ ଭାରତୀୟ ଯାତ୍ରୀଙ୍କ ପାଇଁ ପୁଣି କରୋନା ଟେଷ୍ଟ କରିବାକୁ ପଡ଼ିବ | ଯେଉଁମାନେ ଟିକାର ଉଭୟ ଡୋଜ୍ ନେଇଛନ୍ତି ସେମାନଙ୍କ ପାଇଁ ପ୍ରାକ୍-ଟ୍ରାଭେଲ୍ ପରୀକ୍ଷା ମଧ୍ୟ ଜରୁରୀ | ଏକମାତ୍ର ଆଶ୍ବସ୍ତି ହେଉଛି ଯଦି ସେମାନେ ବ୍ରିଟେନରେ ସ୍ୱୀକୃତିପ୍ରାପ୍ତ ଟିକା ନେଇଛନ୍ତି, ତେବେ ସେମାନଙ୍କୁ କ୍ବାରେଣ୍ଟାଇନ କରିବାକୁ ପଡିବ ନାହିଁ। ବ୍ରିଟେନରେ ମୋଡେର୍ନା, ଫାଇଜର, ଜନସନ ଆଣ୍ଡ୍ ଜନସନ ଏବଂ ଆଷ୍ଟ୍ରା ଜେନେକାର କୋଭିଡ ଟିକାକୁ ମଞ୍ଜୁରି ଦିଆଯାଇଛି । ଯଦି ଅମ୍ବର୍ ତାଲିକାରେ ସାମିଲ ଦେଶରୁ ଜଣେ ଯାତ୍ରୀ ବ୍ରିଟେନ ଦ୍ବାରା ସ୍ୱୀକୃତିପ୍ରାପ୍ତ ଟୀକା ଗ୍ରହଣ କରିନାହାଁନ୍ତି, ତେବେ ତାଙ୍କୁ ବ୍ରିଟେନ ପହଞ୍ଚିବା ପରେ ଘରେ କିମ୍ବା ଅନ୍ୟ ଯେଉଁଠି ୧୦ ଦିନ ପାଇଁ ସଙ୍ଗରୋଧରେ ରହିବେ ସେହି ଅବଧି ଶେଷ ହେବାର ଦୁଇ ଦିନ ପୂର୍ବରୁ ପୁଣି କୋଭିଡ୍ ଟେଷ୍ଟ କରିବାକୁ ପଡିବ |

Comments are closed.