କରୋନା‌ ବିରୋଧୀ ଲଢେ଼ଇରେ ଭାରତର ମାଇଲଖୁଣ୍ଟ, ୧୦୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଟିକାକରଣ ଅଭିଯାନ ଆଜି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଦେଶରେ ମୋଟ ଟିକାକରଣ ଆଜି ସକାଳ ୯.୪୮ ରେ ୧୦୦ କୋଟି ଟପିଛି । ଏହି ଐତିହାସିକ ସଫଳତା ସହ ଟିକାକରଣର ଭାରତ ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୦୦ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି। ଭାରତରେ ପ୍ରାୟ ୭୫ ପ୍ରତିଶତ ବୟସ୍କ ଲୋକ ଅତି କମରେ ଗୋଟିଏ ଡୋଜ୍ ଟିକା ଗ୍ରହଣ କରିଥିବାବେଳେ ଜନସଂଖ୍ୟାର ୩୧ ପ୍ରତିଶତ ଦୁଇ ଡୋଜ୍ ଟିକା ନେଇଛନ୍ତି। ଏହାଛଡ଼ା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ତରଫରୁ ୧୦୨ କୋଟିରୁ ଅଧିକ ଡୋଜ ଯୋଗାଇ ଦିଆଯାଇଛି। ଟିକାକରଣ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ବିଳମ୍ବ ନକରି ଟିକାକରଣ କରି ଭାରତର ଐତିହାସିକ ଟିକାକରଣ ଯାତ୍ରାରେ ସହଯୋଗ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବୁଧବାର ନିବେଦନ କରିଛନ୍ତି।

୧୦୦ କୋଟି ଡୋଜ୍ ଟିକା ଦାନ ମାଇଲଖୁଣ୍ଟ ପରେ ସାରା‌ ଦେଶରେ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି | ଏହା ଅଧୀନରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ ପୂର୍ବକ ଟୀକାକରଣରେ ସହଯୋଗ କରିଥିବା ଲୋକଙ୍କୁ ଧନ୍ୟବାଦ ଦିଆଯାଇଛି | ଦେଶରେ ୧୦୦ କୋଟି ଡୋଜ୍ ଟିକା ଦିଆଯିବା ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଲାଲ୍ କିଲ୍ଲାରୁ ଗାୟକ କୈଳାଶ ଖେରଙ୍କ ଗୀତ ଏବଂ ଅଡିଓ-ଭିଜୁଆଲ ଫିଲ୍ମ ରିଲିଜ୍ କରିବେ। ଏହା ସହିତ ଖଦୀରେ ନିର୍ମିତ ଦେଶର ବୃହତ୍ତମ ତ୍ରିରଙ୍ଗା ଲାଲ୍ କିଲ୍ଲାରେ ଉତ୍ତୋଳନ କରାଯିବ | ଏହାଛଡ଼ା ୧୦୦ କୋଟି ଡୋଜର ମାଇଲଖୁଣ୍ଟ ନେଇ ବିମାନ, ମେଟ୍ରୋ ଏବଂ ରେଳ ଷ୍ଟେସନରେ ଘୋଷଣା କରାଯିବ।

Comments are closed.