କରୋନା ଅପଡେଟ୍: ସଂକ୍ରମଣ ପୁଣି ୪୦ ହଜାର ପାର୍, ଦିନକରେ ୪୬,୧୬୪ ନୂଆ ମାମଲା, କେରଳରୁ ହିଁ ୭୦% ଆକ୍ରାନ୍ତ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ଭାରତରେ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଛି | ଦିନକରେ ଆଉ ୪୬ ହଜାର ୧୬୪ ନୂଆ ମାମଲା ପଞ୍ଜିକୃତ ହୋଇଛି, ଯାହା ପୂର୍ବ ଦିନ ତୁଳନାରେ ୨୨.୭ ପ୍ରତିଶତ ଅଧିକ। କରୋନା ସଂକ୍ରମଣ ଦୃଷ୍ଟିରୁ କେରଳ ସ୍ଥିତି ଚିନ୍ତା ବଢ଼ାଉଛି । ନୂଆ ମାମଲା ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଆକ୍ରାନ୍ତ କେବଳ କେରଳର।

ସକ୍ରିୟ ମାମଲା ମଧ୍ୟ ପୁଣି ଥରେ ବଢ଼ୁଛି। ବର୍ତ୍ତମାନ ଦେଶରେ ମୋଟ ୩ ଲକ୍ଷ ୩୩ ହଜାର ୭୨୫ ସକ୍ରିୟ ମାମଲା ରହିଛି। ତେବେ ଆଶ୍ବସ୍ତିକର ବିଷୟ ହେଉଛି ସୁସ୍ଥତା ହାର ୯୭.୬୩ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟାରେ ଆଉ ୩୪ ହଜାର ୧୫୯ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୧୭ ଲକ୍ଷ ୮୮ ହଜାର ୪୪୦ରେ ପହଞ୍ଚିଛି।

ଲଗାତାର ୩୧ ଦିନ ପାଇଁ ଦୈନିକ ସଂକ୍ରମଣ ହାର ୩ ପ୍ରତିଶତରୁ କମ୍ ରହିଆସିଛି | ଏଥି ସହିତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦.୩୮ କୋଟି ଡୋଜ ଦିଆଯାଇଛି ।

କରୋନା ମୁକାବିଲାରେ କେରଳ ଏବେ ସବୁଠାରୁ ବଡ ଆହ୍ବାନ ହୋଇଛି। ବୁଧବାର ମଧ୍ୟ ରାଜ୍ୟରେ ୩୧ ହଜାର ୪୫୫ ନୂଆ ମାମଲା ରୁଜୁ ହୋଇଛି। ଏଥି ସହିତ ୨୧୫ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହାର ୧୨ ପ୍ରତିଶତରୁ ଅଧିକ ରହିଛି ଯାହାକି ଉଦବେଗଜନକ ।

Comments are closed.