ଆତଙ୍କୀ ଆକ୍ରମଣ ଆଶଙ୍କା, କାବୁଲ ଏୟାରପୋର୍ଟ ଓ ଆଖପାଖ ଅଞ୍ଚଳ ଖାଲି କରିବାକୁ ନିଜ ନାଗରିକଙ୍କୁ କହିଲେ ଆମେରିକା ଓ ସହଯୋଗୀ ଦେଶ

ୱାଶିଂଟନ: କାବୁଲ ଏୟାରପୋର୍ଟରେ ଆତଙ୍କୀ ଆକ୍ରମଣର ଆଶଙ୍କା ରହିଛି । ତେଣୁ ତୁରନ୍ତ କାବୁଲ ଏୟାରପୋର୍ଟ ଓ ଆଖପାଖ ଅଞ୍ଚଳରୁ ଦୂରେଇ ରହିବାକୁ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ନିଜ ନାଗରିକ ମାନଙ୍କୁ ସତର୍କ କରାଇଛନ୍ତି । ତାଲିବାନ କ୍ଷମତା ଦଖଲ କରିବା ପରେ ବିଦେଶୀ ନାଗରିକ ଆଫଗାନିସ୍ତାନ ଛାଡ଼ି ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ବ୍ୟାକୁଳ । ତେବେ ସୀମିତ ସଂଖ୍ୟକ ଫ୍ଲାଇଟ୍ ସେମାନଙ୍କ ସମସ୍ୟା ବଢ଼ାଇଛି । ଏପଟେ ତାଲିବାନ ଭୟରେ ଆଫଗାନିସ୍ତାନର ନାଗରିକ ମଧ୍ୟ ଦେଶ ଛାଡ଼ି ପଳାଇବା ପାଇଁ ବାଟ ଖୋଜୁଛନ୍ତି । ଯାହା ଫଳରେ କାବୁଲ ଏୟାରପୋର୍ଟରେ ଅସମ୍ଭବ ଭିଡ଼ ଜମୁଛି । ଭିଡ଼ ନିୟନ୍ତ୍ରଣ କରିବାକୁ ତାଲିବାନ ଗୁଳି କରିବାକୁ ମଧ୍ୟ ପଛାଉ ନାହିଁ । ବିଦେଶୀ ନାଗରିକଙ୍କୁ ଟାର୍ଗେଟ୍ କରି ଆତଙ୍କୀ ହମ୍‌ଲାର ସମ୍ଭାବନା ମଧ୍ୟ ଥିବାରୁ ନିଜ ନାଗରିକଙ୍କୁ ଯଥାଶୀଘ୍ର କାବୁଲ ଏୟାରପୋର୍ଟ ଓ ସ୍ଥାନୀୟ ଅଞ୍ଚଳ ଖାଲି କରିବାକୁ ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ପରାମର୍ଶ ଦେଇଛନ୍ତି ।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରଠୁ ଏଯାବତ୍ ପ୍ରାୟ ୯୦ ହଜାର ଆଫଗାନ୍ ଓ ବିଦେଶୀ ନାଗରିକ ଆମେରିକା ସେନା ବିମାନରେ ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି ।

ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଅଗଷ୍ଟ ୩୧ ତାରିଖ ଡେଡ୍‌ଲାଇନ୍ ଧାର୍ଯ୍ୟ କରିଛନ୍ତି । ଏହି ସମୟସୀମା ବୃଦ୍ଧି କରିବାକୁ ଆମେରିକା ଚାହୁଁଥିଲେ ମଧ୍ୟ ତାଲିବାନ ଧମକ ଦୃଷ୍ଟିରୁ ଏହାର ସମ୍ଭାବନା କମ୍ । ଏଭଳି ସ୍ଥଳେ କାବୁଲକୁ କିଛି ଦେଶ ବିମାନ ପଠାଇବା ବନ୍ଦ କରିଦେଇଛନ୍ତି । ସେପଟେ ଆଫଗାନସ୍ତାନ ଛାଡ଼ି ପଳାଇବାକୁ ଚାହୁଁଥିବା ଲୋକଙ୍କ କାବୁଲ ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ ଜମିଛି ।

Comments are closed.