ୟାସିନ ମଲିକ ମାମଲାରେ କୋର୍ଟ ରାୟକୁ ସମାଲୋଚନା ନେଇ ଓଆଇସିକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ଆତଙ୍କବାଦୀ ପାଣ୍ଠି ମାମଲାରେ ୟାସିନ ମଲିକଙ୍କ ବିରୋଧରେ ଅଦାଲତ ରାୟକୁ ସମାଲୋଚନା ନେଇ ଭାରତ ଇସଲାମିକ ସହଯୋଗ ସଂଗଠନ (ଓଆଇସି)କୁ ନିନ୍ଦା କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ଓଆଇସି ସମର୍ଥନ ଜଣାଉଛି ବୋଲି ଭାରତ ଅଭିଯୋଗ କରିଛି । ଆତଙ୍କବାଦକୁ କୌଣସି ପ୍ରକାରେ ସମର୍ଥନ ନ ଦେବାକୁ ଅନୁରୋଧ କରି ଭାରତ ଓଆଇସିକୁ କହିଛି ଯେ ଏହି ବିପଦ ବିରୋଧରେ ବିଶ୍ୱ ଶୂନ୍ୟ ସହନଶୀଳତା ଚାହୁଁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ମଲିକଙ୍କ ଆତଙ୍କବାଦୀ କାର୍ଯ୍ୟକଳାପର ଦଲିଲ କୋର୍ଟରେ ଦାଖଲ କରାଯାଇଛି।

ୟାସିନ ମଲିକଙ୍କ ସମ୍ପର୍କରେ ଏନଆଇଏ କୋର୍ଟର ନିଷ୍ପତ୍ତି ଉପରେ ଓଆଇସି ର ମନ୍ତବ୍ୟ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ବାଗଚି କହିଛନ୍ତି ଯେ ଭାରତ ପାଇଁ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗତ ବୁଧବାର ଏନଆଇଏ କୋର୍ଟ ଜମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମଲିକଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ଏନଆଇଏ କୋର୍ଟ ମଧ୍ୟ ତାଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ। ମଲିକଙ୍କ ପାଇଁ ଏନ୍ଆଇଏ ମୃତ୍ୟୁଦଣ୍ଡ ଦାବି କରିଥିଲା।

Comments are closed.