ମହିଳା କ୍ରିକେଟ୍ ବିଶ୍ୱକପ: ଅଷ୍ଟ୍ରେଲିଆ ଠାରୁ ୬ ଓ୍ବିକେଟରେ ହାରିଲା ଭାରତ

ଅକଲାଣ୍ଡ: ମହିଳା କ୍ରିକେଟ୍ ବିଶ୍ୱକପରେ ଭାରତୀୟ ଦଳକୁ କ୍ରମାଗତ ଦ୍ୱିତୀୟ ପରାଜୟର ସାମ୍ନା କରିବାକୁ ପଡିଛି। ଆଜି ଅନୁଷ୍ଠିତ ଲିଗ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏକ ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ଶେଷ ଓଭରରେ ୮ ରନ୍ ଆବଶ୍ୟକ କରିଥିଲା, କିନ୍ତୁ ଅଷ୍ଟ୍ରେଲିଆ ୩ ଟି ବଲରେ ଆବଶ୍ୟକ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତି ନେଇଥିଲା। ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର କ୍ରମାଗତ ପଞ୍ଚମ ବିଜୟ। ଅନ୍ୟପକ୍ଷରେ ଭାରତର ଏହା ତୃତୀୟ ପରାଜୟ । ଏହି ପରାଜୟ ସହିତ ଭାରତୀୟ ଦଳର ସେମିଫାଇନାଲ ପଥ କଷ୍ଟସାଧ୍ୟ ହୋଇପଡିଛି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ଭାରତୀୟ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଏହି ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ ହୋଇଥିଲା । ଭାରତୀୟ ଦଳ ପ୍ରଥମ ୬ ଓଭରରେ ୨୮ ରନ୍ କରି ଉଭୟ ଓପନରଙ୍କ ୱିକେଟ୍ ହରାଇଥିଲା। ସ୍ମୃତି ମନ୍ଧାନା (୧୦) ଏବଂ ଶେଫାଳି ବର୍ମା (୧୨) ଖୁବ୍ ଶୀଘ୍ର ଆଉଟ୍ ହୋଇଥିଲେ। ଏଠାରୁ ଅଧିନାୟକ ମିତାଲି ରାଜ (୬୮) ଏବଂ ୟସ୍ତିକା ଭାଟିଆ (୫୯) ତୃତୀୟ ଓ୍ବିକେଟ୍ ପାଇଁ
୧୩୦ ରନର ଭାଗିଦରୀ ସହ ଦଳୀୟ ପାଳି ସମ୍ଭାଳିଥିଲେ। ଏହି ଦୁଇ ଖେଳାଳିଙ୍କ ଆଉଟ୍ ପରେ ହରମନପ୍ରୀତ ୪୭ ବଲରୁ ୫୭ ରନ୍ ସଂଗ୍ରହ କରି ସ୍କୋରକୁ ଆଗେଇ ନେଇଥିଲେ । ସେମାନେ ଗୋଟିଏ ପଟେ କ୍ରିଜ୍ ଅକ୍ତିଆର କରିଥିବା ବେଳେ ଅନ୍ୟ ପଟେ ରିଚା ଘୋଷ (୮) ଏବଂ ସ୍ନେହ ରାଣା (୦) ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ। ଯଦିଓ ନବମ କ୍ରମରେ ବ୍ୟାଟିଂ କରିବାକୁ ବାହାରିଥିବା ପୂଜା ଭସ୍ତ୍ରାକର ଆଉଟ୍ ହେବା ପୂର୍ବରୁ ହରମନପ୍ରୀତଙ୍କୁ ଭଲ ସମର୍ଥନ କରିଥିଲେ। ସେ ୨୮ ବଲରେ ୩୪ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ | ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ୍ ହରାଇ ୨୭୭ ରନ୍ କରିଥିଲା।

ଅଷ୍ଟ୍ରେଲିଆ ୨୭୮ ରନ୍‌ର ଟାର୍ଗେଟ ଜବାବରେ ଅଷ୍ଟ୍ରେଲିଆ ସକରାତ୍ମକ | ଦଳର ଓପନିଂ ଯୋଡି ପ୍ରଥମ ୱିକେଟ୍ ପାଇଁ ୧୨୧ ରନ୍ ଯୋଡିଥିଲେ। ଓପନର୍ ରଚେଲ ହାଇନ୍ସ (୪୩) ଏବଂ ଆଲିସା ହିଲି (୭୨) ଙ୍କ ଶକ୍ତିଶାଳୀ ଇନିଂସ ପରେ ଅଧିନାୟକ ମେଗ ଲେନିଙ୍ଗ (୯୭) ଏବଂ ଏଲିସେ ପେରି (୨୮) ମଧ୍ୟ ତୃତୀୟ ୱିକେଟ ପାଇଁ ଏକ ଶତକୀୟ ଭାଗିଦାରୀ କରିଥିଲେ। ଭାରତୀୟ ବୋଲର ନିୟମିତ ଓ୍ବିକେଟ୍ ଖସାଇବାରେ ବିଫଳ ହୋଇଥିଲେ । ଶେଷ ଆଡ଼କୁ ବେଥ୍ ମୁନି ୨୦ ଟି ବଲରୁ ୩୦ ରନ୍ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ୩ଟି ବଲ୍ ବାକି ଥାଇ ଟାର୍ଗେଟ ହାସଲ କରିଥିଲା। ଭାରତରୁ ପୂଜା ଭସ୍ତ୍ରାକର ୨ଟି, ମେଘନା ସିଂ ଏବଂ ସ୍ନେହ ରାଣା ୧-୧ ୱିକେଟ୍ ନେଇଥିଲେ।

ଏହି ପରାଜୟ ପରେ ଭାରତୀୟ ଦଳର ସେମିଫାଇନାଲ ଆଶାକୁ ଝଟକା ଲାଗିଛି। ବର୍ତ୍ତମାନ ଭାରତକୁ ଅବଶିଷ୍ଟ ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ପଡିବ ‌। ଏହାଛଡ଼ା ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ମିତାଲିଙ୍କ ଦଳର ଭାଗ୍ୟ ନିର୍ଭର କରିବ | ଭାରତୀୟ ଦଳ ତା’ର ଶେଷ ଦୁଇଟି ମ୍ୟାଚ୍ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

Comments are closed.