୨୬/୧୧ ବାର୍ଷିକୀରେ ପାକିସ୍ତାନ ହାଇ କମିଶନ୍ କୂଟନୀତିଜ୍ଞଙ୍କୁ ସମନ କଲା ଭାରତ, ଶୁଣାଣି ତ୍ବରାନ୍ବିତ କରିବାକୁ କହିଲା

ନୂଆଦିଲ୍ଲୀ: ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୩ତମ ବାର୍ଷିକୀ ଅବସରରେ ଭାରତ ଆଜି ପାକିସ୍ତାନର ହାଇ କମିଶନ୍ ର କୂଟନୀତିଜ୍ଞଙ୍କୁ ସମନ୍ କରିଛି। ଏ ମାମଲାର ଶୁଣାଣି ତ୍ବରାନ୍ବିତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ପାକିସ୍ତାନକୁ କହିଛି ଭାରତ । ମୃତ ୧୬୬ ଜଣଙ୍କ ପରିବାର ୨୬/୧୧ ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହେବାକୁ ଅପେକ୍ଷା କରିଛନ୍ତି ବୋଲି ଭାରତ କହିଛି । ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଦେଇଥିବା

କୂଟନୈତିକ ନୋଟ୍ (ନୋଟ୍ ଭର୍ବଲ୍) ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ ନିଜ ମାଟି ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହାର ନକରିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ,”ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ୨୬/୧୧ ଆକ୍ରମଣର ୧୩ ବର୍ଷ ପରେ ମଧ୍ୟ ୧୬୬ ପୀଡିତଙ୍କ ପରିବାର ଶୁଣାଣି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି” । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ନ୍ୟାୟର ପରିସରକୁ ଆଣିବା ପାଇଁ ପାକିସ୍ତାନ ତତ୍ପରତା ଦେଖାଉ ନାହିଁ ।

୨୦୦୮ ନଭେମ୍ବର ୨୬ରେ, ପାକିସ୍ତାନରୁ ୧୦ ସଶସ୍ତ୍ର ଲଶ୍କର-ଇ-ତଇବା ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପହଞ୍ଚି ପ୍ରମୁଖ ସ୍ଥାନରେ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Comments are closed.