ଆୟର, ପନ୍ତଙ୍କ ଚମକ, ୩-୦ରେ ସିରିଜ୍ ପୋଛିନେଲା ଭାରତ

ଅହମ୍ମଦାବାଦ: କରୋନାରୁ ସୁସ୍ଥ ହୋଇ ଫେରିଥିବା ଶ୍ରେୟସ ଆୟର ଓ ରିଷଭ ପନ୍ତଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୯୬ ରନରେ ଧରାଶାୟୀ କରିଛି । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଜିତିନେଇ କାରିବିୟାନ ଦଳର ମୂଳପୋଛ କରିଛି ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଠିକ୍ ୫୦ ଓଭରରେ ୨୬୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । କ୍ରମାଗତ ଦ୍ୱିତୀୟ ଥର ଭାରତର ଟପ୍ ଅର୍ଡର ବିଫଳ ହୋଇଥିଲେ । ହେଲେ ସିରିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଆୟର ଓ ପନ୍ତ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରି ୱେଷ୍ଟଇଣ୍ଡିଜ୍ ପାଇଁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ନିଶ୍ଚିତ କରିଥିଲେ । ଆୟର ୧୧୧ ବଲରେ ୯ଟି ଚୌକା ସହାୟତାରେ ୮୦ ରନ୍ କରିଥିବା ବେଳେ ପନ୍ତ ୫୪ ବଲରେ ୬ଟି ଚୌକା ଓ ଗୋଟିଏ ଛକା ବଳରେ ୫୬ ରନ୍ ଦ୍ରୁତ ୫୬ ରନ୍ କରିଥିଲେ । ଶେଷ ଆଡ଼କୁ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଦୀପକ ଚହରଙ୍କ ଉପଯୋଗୀ ପାଳି ଯୋଗୁଁ ଭାରତ ୨୫୦ ଟପିଥିଲା ।

ଭାରତ ପ୍ରଦତ୍ତ ୨୬୬ ରନର ବିଜୟଲକ୍ଷ୍ୟ ଜବାବରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ଲାଇନ୍ ଅପ୍ ପୁଣିଥରେ ତାସ୍ ର ଘର ପରି ଭୁଶୁଡ଼ି ପଡ଼ିଥିଲା । ୱେଷ୍ଟଇଣ୍ଡିଜ୍ ୩୭.୧ ଓଭରରେ ମାତ୍ର ୧୬୯ ରନ୍ କରି ଅଲଆଉଟ୍ ହୋଇଥିଲା । ସିରିଜରେ କ୍ରମାଗତ ତୃତୀୟ ଥର ପାଇଁ ପୂରା ୫୦ ଓଭର ଖେଳିନପାରି ଆଉଟ୍ ହୋଇଥିଲା ୱେଷ୍ଟଇଣ୍ଡିଜ୍ । ଏହାଛଡ଼ା କ୍ରମାଗତ ତୃତୀୟ ଥର ଲାଗି ଦଳ ୨୦୦ ରନ୍ ଟପିବାରେ ବିଫଳ ହୋଇଥିଲା । ଗତ ମ୍ୟାଚର ହିରୋ ପ୍ରସିଦ୍ଧ କ୍ରିଷ୍ଣା ଭାରତ ପକ୍ଷରୁ ପୁଣିଥରେ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ । କ୍ରିଷ୍ଣା ମାତ୍ର ୨୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ସିରାଜ୍ ମଧ୍ୟ ମାପଚୁପ ବୋଲିଂ ସହ ୨୯ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ । ଦୀପକ ଚହର ଓ ଦୀର୍ଘଦିନ ପରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ସ୍ପିନର କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କାମଚଳା ଅଧିନାୟକ ନିକୋଲାସ୍ ପୁରାନ ୩୪ ରନ୍ କରିଥିବା ବେଳେ ଓଡିଆନ୍ ସ୍ମିଥ୍ ୩୬ ଓ ଆଲଜାରି ଯୋଶେଫ୍ ୨୯ ରନ୍ କରିଥିଲେ । ଆୟର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ କ୍ରିଷ୍ଣା ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।
ପୂର୍ବରୁ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଆରମ୍ଭରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମର ତିନି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଯଥା ରୋହିତ୍ (୧୩), ଶିଖର ଧୱନ୍ (୧୦) ଓ ବିରାଟ୍ କୋହଲି (୦) ୱେଷ୍ଟଇଣ୍ଡିଜ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ରୋହିତଙ୍କୁ ଅଲଜାରୀ ଜୋସେଫ୍ କ୍ଲିନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲି ମାତ୍ର ଦୁଇଟି ବଲ୍ ଖେଳିବାକୁ ସକ୍ଷମ ହୋଇଥିଲେ। କୋଭିଡରୁ ସୁସ୍ଥ ହୋଇ ଫେରିଥିବା ଧୱନ୍ ମଧ୍ୟ ଖରାପ ଶଟ୍ ଚୟନର ଶିକାର ହୋଇ ଓଡେନ୍ ସ୍ମିଥଙ୍କ ବଲରେ ଆଉଟ୍ ହୋଇଥିଲେ।

୧୦ ଓଭର ଭିତରେ ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିବା ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ ଶ୍ରେୟସ ଆୟର ଓ ଋଷଭ ପନ୍ତ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୧୦) ଭାଗିଦାରୀ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପନ୍ତ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ହେଡେନ୍ତ ୱାଲ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ପନ୍ତ ୫୪ ବଲରେ ୬ ଚୌକା ଓ ୧ ଛକା ସହ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୬ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ।

ଅର୍ଦ୍ଧଶତକ ମାରିବା ପରେ ଶ୍ରେୟସ ଶତକ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରି ୱାଲ୍ସ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ଆୟର୍ ୧୧୧ ବଲର ସାମ୍ନା କରି ୮୦ (୯ ଚୌକା) ରନ୍ କରିଥିଲେ। ତାଙ୍କ ପରେ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଚମତ୍କାର ବ୍ୟାଟିଂ କରି ସପ୍ତମ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ିଥିଲେ। ଚହର ୩୮ ବଲରେ ୪ ଚୌକା ଓ ୨ ଛକା ସହ ୩୮ ରନ୍ କରି ଆଉଟ୍ ହୋଇଥିଲେ। ସୁନ୍ଦର ୩୩ (୩୪ ବଲ୍, ୨ ଚୌକା, ୧ ଛକା) ରନ୍ ପ୍ୟାଭିଲିୟନ୍ ଫେରିଥିଲେ। କୁଲଦୀପ ଯାଦବ (୫) ଓ ମହମ୍ମଦ ସିରାଜ (୪) ଆଉଟ୍ ହୋଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର ୪ଟି, ଜୋସେଫ୍ ଓ ୱାଲ୍ସ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Comments are closed.