ଟି୨୦ ବିଶ୍ୱକପ: ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ

ପର୍ଥ: ଭାରତ ରବିବାର ଟି୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜର ସାମ୍ନା କରିବ । ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ରୋହିତ ଶର୍ମାଙ୍କ ଦଳ ପାଇଁ ଏହି ମୁକାବିଲା ହେବ ଏକ କଡ଼ା ପରୀକ୍ଷା । ଭାରତୀୟ ଟପ୍ ଅର୍ଡର ପର୍ଥର ବାଉନ୍ସି ପିଚରେ କାଜିସୋ ରବାଡା ଓ ଆନରିଚ୍ ନର୍ଜେଙ୍କ ଭଳି ଦ୍ରୁତ ବୋଲରଙ୍କ କିପରି ସାମ୍ନା କରୁଛି ତାହା ଉପରେ ନଜର ରହିବ । ଏହାଛଡ଼ା ଏହି ମ୍ୟାଚ୍ ଗ୍ରୁପ୍‌-୨ ଟପର୍ କିଏ ହେବ ତାହା ନିର୍ଣ୍ଣୟ କରିବ ।

ପର୍ଥର ୱାକା ହେଉଛି ପାରମ୍ପରିକ ଭେନ୍ୟୁ । ହେଲେ ଏବେ ନବନିର୍ମିତ ଓକ୍ଟୋପସ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଉଛି । ଉଭୟ ଷ୍ଟାଡିୟମର ଆକାର ଓ ଡିଜାଇନ ଭିନ୍ନ ହୋଇଥିଲେ ମଧ୍ୟ ପିଚ୍ ପ୍ରାୟ ସମାନ । ପୁରୁଣା ୱାକା ଷ୍ଟାଡିୟମ ଭଳି ଓକ୍ଟୋପସ୍ ଷ୍ଟାଡିୟମ ପିଚ୍ ମଧ୍ୟ ଦ୍ରୁତ ବୋଲରଙ୍କ ପାଇଁ ଏକ ଭୂସ୍ୱର୍ଗ । ଏହି ପିଚରେ ପେସ୍ ସହ ବାଉନ୍ସ ରହିଛି, ଯାହା ବ୍ୟାଟରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏହି ଟ୍ରାକରେ ବିଶ୍ୱର ଦୁଇ ଦୁର୍ଦ୍ଦର୍ଶ ଦ୍ରୁତ ବୋଲର ରବାଡା ଓ ନର୍ଜେ ଭାରତୀୟ ଟପ୍ ଅର୍ଡର – ରୋହିତ, ରାହୁଲ,କୋହଲି ଓ ସୂର୍ଯ୍ୟକୁମାରଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

ଉଭୟ ରୋହିତ ଓ ବିରାଟ ପେସ୍ ବୋଲିଂରେ ଭଲ ହୁକ୍ ଓ ପୁଲ୍ ସଟ୍ ଖେଳିବା ପାଇଁ ପରିଚିତ । ତେବେ ପର୍ଥର ଏହି ବାଉନ୍ସି ପିଚରେ ଦକ୍ଷିଣ ଆଫ୍ରିକା ପେସ୍ ଆକ୍ରମଣକୁ ପ୍ରଥମ ୬ ଓଭର ସାମ୍ନା କରିବା ଏହି ଦୁଇ ଅଭିଜ୍ଞ ବ୍ୟାଟରଙ୍କ ପକ୍ଷେ ଚ୍ୟାଲେଞ୍ଜିଂ ହେବ । ଦକ୍ଷିଣ ଆଫ୍ରିକା ପେସ ବୋଲରଙ୍କ ଚ୍ୟାଲେଞ୍ଜ ପ୍ରତିହତ କରିବା ପାଇଁ ଭାରତୀୟ ବ୍ୟାଟର କିଭଳି ରଣନୀତି ଆପଣାଉଛନ୍ତି ତାହା ଦେଖିବା ମଜାଦାର ହେବ ।

ପ୍ରଥମ ୬ ଓଭରରେ ଯଥା ସମ୍ଭବ ଦ୍ରୁତ ରନ୍ ସଂଗ୍ରହ କରିବା ଟି୨୦ କ୍ରିକେଟରେ ଏକ ପ୍ରଭାବୀ ରଣନୀତି ଭାବେ ଗୃହୀତ ହୋଇଛି । କିନ୍ତୁ ପେସ୍ ବୋଲିଂକୁ ସୁହାଉଥିବା ଏକ ପିଚରେ ଦକ୍ଷିଣ ଆଫ୍ରିକା ଭଳି ବୋଲିଂ ଆକ୍ରମଣ ବିପକ୍ଷରେ ଭାରତ ପ୍ରଥମ ୧୦ ଓଭରରେ ଏଭଳି ରଣକୌଶଳ ଆପଣାଇବ ନା ଶେଷ ୧୦ ଓଭରକୁ ଟାର୍ଗେଟ୍ କରିବ ତାହା ଦେଖିବାକୁ ରହିଲା ।

ରାହୁଲଙ୍କ ଫ୍ଲପ ଶୋ’ ଭାରତ ପାଇଁ ଏକ ଚିନ୍ତାର କାରଣ ହୋଇଛି । ରାହୁଲଙ୍କ ପରିବର୍ତ୍ତେ ଟପ୍ ଅର୍ଡରରେ ରିଷଭ ପନ୍ତଙ୍କୁ ଖେଳାଇବାକୁ ଭାରତ ପାଖରେ ବିକଳ୍ପ ରହିଛି । ହେଲେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଫର୍ମ ପାଇଁ ସଂଘର୍ଷ କରୁଥିବା ରାହୁଲଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହିଁବେ । ଯଦି ପନ୍ତ ଖେଳନ୍ତି, ତେବେ ସେ ରାହୁଲଙ୍କ ପରିବର୍ତ୍ତେ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ସୁଯୋଗ ପାଇବେ । ପ୍ରଥମ ଦୁଇଟି ମ୍ୟାଚରେ କାର୍ତ୍ତିକଙ୍କ ୱିକେଟକିପିଂ ମଧ୍ୟ ଅତି ସାଧାରଣ ରହିଛି ।

ଭାରତ ଗତ ମ୍ୟାଚରେ ନେଦରଲାଣ୍ଡ୍‌ସକୁ ସହଜରେ ହରାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ପରୀକ୍ଷା ପାଇଁ ଦଳ କେତେ ପ୍ରସ୍ତୁତ ତାହାର ସଙ୍କେତ ମିଳିନଥିଲା । ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଭାରତର ବ୍ୟାଟିଂ ଉପଯୋଗୀ ପିଚ୍ ଗୁଡ଼ିକରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜ୍ ଖେଳିଥିଲେ । ଭାରତ ମଧ୍ୟ ସେହି ହାଇସ୍କୋରିଂ ସିରିଜକୁ ୨-୧ ବ୍ୟବଧାନରେ ଜିତିଥିଲା । ହେଲେ ଅଷ୍ଟ୍ରେଲିଆ ପରିବେଶରେ ଦକ୍ଷିଣ ଆଫ୍ରିକା ପେସ୍ ଆକ୍ରମଣର ସାମ୍ନା କରିବା ରୋହିତଙ୍କ ଦଳର ପ୍ରକୃତ ପରୀକ୍ଷା ହେବ । ଭାରତ ବିପକ୍ଷ ଏହି ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକା ବାମହାତୀ ସ୍ପିନର ତାବ୍ରେଜ ଶାମସିଙ୍କୁ ବାଦ୍ ଦେଇ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖେଳାଇବା ସମ୍ଭାବନା ରହିଛି ।

Comments are closed.