ଟି-୨୦ ବିଶ୍ୱକପ ୨୦୨୨ର କାର୍ଯ୍ୟସୂଚୀ ଜାରି, ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଇସିସି କାର୍ଯ୍ୟସୂଚୀ ଘୋଷଣା କରିଛି। ଗତ ବିଶ୍ବକପ୍ ଭଳି ଏଥର ମଧ୍ୟ ଭାରତ ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ | ଅଷ୍ଟ୍ରେଲିଆର ଆଡିଲେଡରେ ୨୦୧୫ ବିଶ୍ୱକପ ସମୟରେ ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ଏକ ବିଶ୍ୱକପ ମ୍ୟାଚ୍ ଖେଳିଥିଲେ। ଟୁର୍ନାମେଣ୍ଟର ପ୍ରଥମ ୬ ଦିନ ଅର୍ଥାତ୍ ଅକ୍ଟୋବର ୧୬ ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ଅନୁଷ୍ଠିତ ହେବ | ଏହା ପରେ ସୁପର ୧୨ ପର୍ଯ୍ୟାୟ ଅକ୍ଟୋବର ୨୨ରୁ ଆରମ୍ଭ ହେବ |

ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆର ସାତୋଟି ଭେନ୍ୟୁ ଆଡିଲେଡ୍, ବ୍ରିସବେନ୍, ଜିଲଙ୍ଗ, ହୋବାର୍ଟ, ମେଲବୋର୍ଣ୍ଣ, ପର୍ଥ ଏବଂ ସିଡନୀରେ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଖେଳାଯିବ | ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୩ରେ ଏମସିଜିରେ ଅନୁଷ୍ଠିତ ହେବ | ସୁପର ୧୨ ପାଇଁ ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି | ଗ୍ରୁପ୍-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ଅଛନ୍ତି। ଅନ୍ୟପକ୍ଷରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ଗ୍ରୁପ୍ ୨ରେ ରହିଛନ୍ତି। ଏହି ୮ ଟିମ୍ ବ୍ୟତୀତ, ପ୍ରଥମ ରାଉଣ୍ଡର ଟପ୍ ୪ଟି ଦଳ ସୁପର ୧୨ରେ ପହଞ୍ଚିବେ | ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଆୟୋଜକ ଅଷ୍ଟ୍ରେଲିଆ ସୁପର ୧୨ର ପ୍ରଥମ ମ୍ୟାଚ୍ ରେ ଅକ୍ଟୋବର ୨୨ରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ | ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ ୪୫ଟି ମ୍ୟାଚ୍ ଖେଳାଯିବ।

ଟି-୨୦ ବିଶ୍ୱକପ୍‌ରେ ଭାରତକୁ ଗ୍ରୁପ୍‌-୨ରେ ସ୍ଥାନିତ କରାଯାଇଛି। ଭାରତ ସହିତ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ଗ୍ରୁପରେ ଅଛନ୍ତି | ଅକ୍ଟୋବର ୨୭ରେ ଗ୍ରୁପର ରନର୍ସ ଅପ୍ ବିପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଏହା ପରେ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ତୃତୀୟ ମ୍ୟାଚ୍ ଖେଳିବ | ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ | ଏହା ପରେ ନଭେମ୍ବର ୨ରେ ଆଡିଲେଡର ଓଭାଲରେ ଭାରତର ମୁକାବିଲା ବାଂଲାଦେଶ ସହ ହେବ। ଶେଷ ଗ୍ରୁପ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ନଭେମ୍ବର ୬ରେ ଏମସିଜିରେ ଗ୍ରୁପ୍ ବିର ବିଜେତା ଦଳକୁ ଭେଟିବ ।

ନଭେମ୍ବର ୯ ଏବଂ ୧୦ରେ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ମ୍ୟାଚ ଖେଳାଯିବ | ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୩ରେ ମେଲବୋର୍ଣ୍ଣରେ ଖେଳାଯିବ |

୨୦୨୨ ଟି-୨୦ ବିଶ୍ୱକପରେ ଭାରତର ମ୍ୟାଚ୍:

ଭାରତ ବନାମ ପାକିସ୍ତାନ, ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ – ଅକ୍ଟୋବର ୨୩ |

ଭାରତ ବନାମ ଗ୍ରୁପ୍ ଏ ରନର୍ ଅପ୍, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ – ଅକ୍ଟୋବର ୨୭ |

ଭାରତ ବନାମ ଦକ୍ଷିଣ ଆଫ୍ରିକା, ପର୍ଥ ଷ୍ଟାଡିୟମ୍ – ଅକ୍ଟୋବର ୩୦ ।

ଭାରତ ବନାମ ବାଂଲାଦେଶ, ଆଡିଲେଡ୍ ଓଭାଲ୍ – ନଭେମ୍ବର ୨ ।

ଭାରତ ବନାମ ଗ୍ରୁପ୍ ବି ରନର୍ ଅପ୍ ଦଳ, ମେଲବୋର୍ଣ୍ଣ – ନଭେମ୍ବର ୬ |

Comments are closed.