ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ତମ ଟେଷ୍ଟ, ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ପୋର୍ଟ ଅଫ୍ ସ୍ପେନ୍: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେଉଛି । ଦୁଇ ଦଳ ମଧ୍ୟରେ ଏହା ହେବ ୧୦୦ତମ ଟେଷ୍ଟ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚର ମହତ୍ତ୍ୱକୁ ହୃହବୋଧ କରିଛନ୍ତି । ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଘରୋଇ ଦଳ ଉପରେ ଆଧିପତ୍ୟ ଜାରି ରଖି ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ତାଙ୍କ ଦଳ ଉଦ୍ୟମ କରିବ ବୋଲି ରୋହିତ କହିଛନ୍ତି । ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ମଧ୍ୟ ଏହି ଟେଷ୍ଟ ତାଙ୍କ କ୍ୟାରିୟର ଦୃଷ୍ଟିରୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ପ୍ରଲମ୍ବିତ କରିବାକୁ ହେଲେ ରାହାଣେଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ ।

ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ତିନି ଦିନି ମଧ୍ୟରେ ଇନିଂସ୍ ଓ ୧୪୧ ରନରେ ଜିତିଥିଲା । କାଲିଠୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପରେ ଭାରତ ପୁଣି ଡିସେମ୍ବର-ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ଖେଳିବ । ତେଣୁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ରାହାଣେ ଭଳି ଖେଳାଳିଙ୍କ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ ହେବ ।

ଗତ ୧୮ ମାସରେ ରାହାଣେ ନିଜ ପ୍ରଥମ ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ । ତାହା ପୁଣି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ରାହାଣେ ଭାରତ ପକ୍ଷରୁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ତେବେ ଡୋମିନିକାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । କାରଣ ଭାରତ କେବଳ ଥରେ ବ୍ୟାଟିଂ କରିଥିଲା ଓ ଇନିଂସ୍ ବିଜୟ ହାସଲ କରିଥିଲା ।

ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଥରେ ବ୍ୟାଟିଂ କରିବାକୁ ଚାହିଁବ । ଏଭଳି ସ୍ଥିତିରେ ରାହାଣେଙ୍କୁ ସୁଯୋଗର ଫାଇଦା ଉଠାଇବାକୁ ହେବ । କାରଣ ପିଠି ଅସ୍ତ୍ରୋପଚାର ପରେ ସମ୍ପ୍ରତି ସୁସ୍ଥ ହେଉଥିବା ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ଗସ୍ତ ବେଳକୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ସମ୍ଭାବନା ରହିଛି । ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦକ୍ଷିଣ ଆଫ୍ରିିକା ଭଳି ଚ୍ୟାଲେଞ୍ଜିଂ ଗସ୍ତରେ ରାହାଣେଙ୍କ ଭଳି ଇନ୍ ଫର୍ମ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ରାହାଣେଙ୍କ ଟେକନିକକୁ ପ୍ରଶଂସା କରିଛନ୍ତି । ରାହାଣେ ସର୍ବଦା ଶାନ୍ତ ଓ ସ୍ଥିର ରହନ୍ତି ଓ ବଲକୁ ବିଳମ୍ବରେ ଖେଳନ୍ତି । ସେ ଏପରି ପ୍ରଦର୍ଶନ ଜାରି ରଖିବେ ବୋଲି ରାଠୋର ଆଶା ବ୍ୟକ୍ତ କରିଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ରାହାଣେଙ୍କ ଭଳି ଖେଲାଳିଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ପ୍ରଥମ ଟେଷ୍ଟରେ ଇନିଂସ୍ ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଏକାଦଶରେ ବଡ଼ ପରିବର୍ତ୍ତନ ସମ୍ଭାବନା କମ୍ । ତେବେ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ଆଉ ଏକ ସୁଯୋଗ ମିଳିନପାରେ । ଗତ ୧୩ ବର୍ଷରେ କ୍ୟାରିୟରର କେବଳ ତୃତୀୟ ଟେଷ୍ଟ ଖେଳୁଥିବା ଏହି ୩୧ ବର୍ଷୀୟ ପେସର ଡୋମିନିକାରେ ୯ ଓଭର ବୋଲିଂ କରିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ପାଇନଥିଲେ ।

ଡୋମିନିକାରେ ଭାରତୀୟ ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଅଧିକାଂଶ ୱିକେଟ୍ ନେଇଥିଲେ । କୁଇନ୍ସ ପାର୍କ ଓଭାଲରେ ମଧ୍ୟ ସ୍ପିନରଙ୍କ ଆଧିପତ୍ୟ ଦେଖିବାକୁ ମିଳିପାରେ । ଏ ଦୃଷ୍ଟିରୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ନିଜ ଦଳରେ ଅଲରାଉଣ୍ଡର ରାମନ୍ ରାଇଫରଙ୍କ ସ୍ଥାନରେ ନବାଗତ ସ୍ପିନର କେଭିନ ସିନକ୍ଲେୟାରଙ୍କୁ ସାମିଲ କରିଛି ।

ଆଉ ଏକ ସ୍ପିନ୍ ପିଚ୍ ମିଳିବା ସମ୍ଭାବନା ଥିବାରୁ ଭାରତ ଜଣେ ଅତିରିକ୍ତ ସ୍ପିନର ଭାବେ ଅକ୍ଷର ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ । ଏଭଳି ସ୍ଥଳେ ଶାର୍ଦ୍ଦୁଲ ଠାକୁରଙ୍କୁ ବାହାରେ ବସିବାକୁ ହେବ ।

Comments are closed.