ଆଜି ଦ୍ୱିତୀୟ ଦିନିକିଆ: ବ୍ୟାଟିଂ ସୁଧାରିବା ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ

ବାରବାଡୋସ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ଶନିବାର ଏଠାରେ ଖେଳାଯିବ । ତିନି ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ଥିବା ଭାରତ ଜୟଯାତ୍ରା ଜାରି ରଖି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିବ । ଦ୍ବିତୀୟ ଦିନିକିଆରେ ଭାରତ ଏହାର ନିର୍ଦ୍ଧାରିତ ବ୍ୟାଟିଂ ଲାଇନ୍ ଅପକୁ ଫେରିବ ।

ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ ପ୍ରଥମ ଦିନିକିଆରେ ଟର୍ଣ୍ଣ ନେଉଥିବା ପିଚରେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଗୁଆ ପଠାଇ ପରୀକ୍ଷା ନିରୀକ୍ଷା କରିଥିଲେ । ବିଜୟଲକ୍ଷ୍ୟ ମାତ୍ର ୧୧୫ ରନ୍ ଥିଲା । ତେଣୁ ପରୀକ୍ଷା ନିରୀକ୍ଷା ବିଫଳ ସତ୍ତ୍ବେ ଭାରତୀୟ ଦଳ ସହଜ ବିଜୟ ହାସଲ କରିଥିଲା ।

ଜଣେ ନିଶ୍ଚିତ ଭାବରେ ଏହା କହିପାରିବ ଯେ ଯଦି ଭାରତକୁ ପୁଣି ଏକ ଛୋଟ ଟାର୍ଗେଟ୍ ଚେଜ୍ କରିବାକୁ ପଡ଼େ, ତେବେ ରୋହିତ ଶୁବମାନ ଗିଲଙ୍କ ସହ ବ୍ୟାଟିଂ ଓପନ କରିବେ ଏବଂ ବିରାଟ କୋହଲି ତିନି ନମ୍ବରରେ ଖେଳିବେ।

ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିବା ଇଶାନ କିଶନଙ୍କୁ ମିଡିଲ ଅର୍ଡରରେ ବ୍ୟାଟିଂ କରିବାକୁ ପଡ଼ିପାରେ । ଯଦି କେଏଲ ରାହୁଲ ଫେରନ୍ତି ତେବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ସମୟରେ ତାଙ୍କୁ ଏହି ସ୍ଥାନ ଖାଲି କରିବାକୁ ପଡିବ।

ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଉଦଘାଟନୀ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଏହି ଫର୍ମାଟରେ ଆଉ ୧୧ଟି ମ୍ୟାଚ୍ ଖେଳିବାକୁ ଥିବା ବେଳେ (ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ), ଭାରତ ଏକ ସନ୍ତୁଳିତ ଦଳ ବଜାୟ ରଖିବାକୁ ଲକ୍ଷ୍ୟ ରଖିବ । ତେଣୁ ଅଧିକ ପରୀକ୍ଷା ନିରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇ ନପାରେ |

ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲ୍ ହେଉଛି ସ୍ୱର୍ଗତ ମଲକମ୍ ମାର୍ଶଲ୍ ଏବଂ ଜୋଏଲ୍ ଗାର୍ନରଙ୍କ ଘରୋଇ ଗ୍ରାଉଣ୍ଡ ଯେଉଁଠି ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ ‘ବିଗ୍ ଫୋର୍’ (ଆଣ୍ଡି ରୋବର୍ଟସ୍ ଏବଂ ମାଇକେଲ୍ ହୋଲଡିଂ)ଙ୍କ ସାମ୍ନା କରିବା ଚିନ୍ତାରେ ଚାପଗ୍ରସ୍ତ ହୋଇଯାଉଥିଲେ ।
କିନ୍ତୁ ଗୁରୁବାର କେନ୍ସିଙ୍ଗଟନ୍ ଓଭାଲରେ ଥିବା ପିଚ୍ ସ୍ପିନରଙ୍କ ପାଇଁ ଉପଯୋଗୀ ଦେଖାଯାଉଥିଲା । କାରିବିୟାନ୍ ବ୍ୟାଟରମାନେ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ଟର୍ଣ୍ଣ ଏବଂ ବାଉନ୍ସରେ ଚକମା ଖାଇଥିଲେ।

ଏପରିକି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉମ୍ରାନ ମଲିକଙ୍କ ସହ ନୂଆ ବଲରେ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବାରେ ସକ୍ଷମ ହୋଇଥିଲେ। ମଲିକ୍ ଦ୍ରୁତ ବେଗରେ ବୋଲିଂ କରିଥିଲେ | ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ର ସ୍ବର୍ଣ୍ଣିମ ଦିନ ଶେଷ ହୋଇଛି । ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳତା ସହ ଓ୍ବେଷ୍ଟଇଣ୍ଡିଜରେ କ୍ରିକେଟ୍ ର ଲୋକପ୍ରିୟତା ମଧ୍ୟ ରସାତଳଗାମୀ ହୋଇଛି ।

ଦ୍ୱିତୀୟ ଦିନିକିଆରେ ମଧ୍ୟ ସେହି ପିଚ୍ ବ୍ୟବହୃତ ହୋଇନପାରେ କିନ୍ତୁ ଏହାର ସ୍ବଭାବ ମଧ୍ୟ ସମାନ ହୋଇପାରେ ‌ । ତେଣୁ ପ୍ରଥମେ ବ୍ୟାଟିଂର ଆହ୍ବାନ ଭାରତୀୟ ଦଳ ପାଇଁ ଅସୁବିଧା ହେବା ଉଚିତ୍ ନୁହେଁ | ଗୁଦାକେଶ ମୋତିଙ୍କ ବାମହାତୀ ସ୍ପିନ୍ ବୋଲିଂ ଏବଂ ୟାନିକ୍ କରିଆଙ୍କ ଲେଗ୍ ବ୍ରେକ୍ ଖେଳିବା କଷ୍ଟକର ହେବ ନାହିଁ । ଏହା ସହଜ ମଧ୍ୟ ହେବ ନାହିଁ |

ଭାରତୀୟ ବ୍ୟାଟ୍ସମ୍ୟାନ୍ ଟର୍ଣ୍ଣିଂ ପିଚ୍‌ରେ ସ୍ପିନରଙ୍କ ବିପକ୍ଷରେ ବଡ଼ ସ୍କୋର କରିବାକୁ ସଂଘର୍ଷ କରିଛନ୍ତି । ଯଦି ସେମାନଙ୍କୁ ପ୍ରଥମ ଦିନିକିଆ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ, ତେବେ ଦଳ ପାଇଁ ଏହା ମଧ୍ୟ ସେତେ ଖରାପ ପରୀକ୍ଷା ହେବ ନାହିଁ |

ଚେନ୍ନାଇ ଏବଂ ଲକ୍ଷ୍ନୌ ପରି ଭେନ୍ୟୁ ଗୁଡ଼ିକ (ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ବିଶ୍ୱକପ୍ ଷ୍ଟାଡିୟମ୍) ସ୍ପିନରଙ୍କ ପାଇଁ ସହାୟକ ହେବ । ବିଶ୍ବକପ୍ ପୂର୍ବରୁ ବିଦେଶରେ ଏହିପରି ପିଚ୍ ଉପରେ କିଛି ଅଭ୍ୟାସ କରିବା ଭାରତୀୟ ଦଳ ପାଇଁ ଭଲ |

ସୂର୍ଯ୍ୟକୁମାର ଯାଦବ ତାଙ୍କ ଟି-୨୦ ଫର୍ମକୁ ୫୦ ଓଭର କ୍ରିକେଟରେ ଦୋହରାଇବା ଗୁରୁତ୍ୱପୂର୍ଣ୍ଣ | ଗୁରୁବାର ତାଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା ଏବଂ ସେ ଓଭଲ ଲୟରେ ଦେଖାଯାଉଥିଲେ । କିନ୍ତୁ ମୋତିଙ୍କୁ ସ୍ୱିପ୍ ସଟ୍ ଖେଳିବାକୁ ଯାଇ ସେ ଆଉଟ୍ ହୋଇଥିଲେ ।

ସୂର୍ଯ୍ୟକୁମାର ଜାଣନ୍ତି ଯେ ଯଦି ଶ୍ରେୟସ୍ ଆୟର ଫିଟ୍ ହୁଅନ୍ତି ଏବଂ ଯଦି କେ.ଏଲ୍ ରାହୁଲ ଫେରି ଆସନ୍ତି, ତେବେ ଏକାଦଶରେ ତାଙ୍କ ସ୍ଥାନ ବିପଦରେ ପଡିପାରେ । ଏପରିକି ତାଙ୍କୁ ୧୫ ଜଣିଆ ବିଶ୍ବକପ୍ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପାରେ। ତେଣୁ ଦଳରେ ତାଙ୍କ ସ୍ଥାନକୁ ସୁଦୃଢ କରିବା ପାଇଁ ଏସିଆ କପରେ ପାକିସ୍ତାନ ବିପକ୍ଷରେ ରନ୍ ସ୍କୋର କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

Comments are closed.