ଆଜି ଇଡେନରେ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି୨୦, ଟିମ୍ କମ୍ବିନେସନ୍ ସଜାଡ଼ିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି୨୦ ବୁଧବାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିବା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ମଧ୍ୟ ଭ୍ରମଣକାରୀ ଦଳ ଉପରେ ଆଧିପତ୍ୟ ଜାହିର କରିବାକୁ ପ୍ରସ୍ତୁତ ।

ଆଉ ଆଠ ମାସ ପରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ଦ୍ରାବିଡ୍ ଓ ରୋହିତଙ୍କ ଯୋଡ଼ି ଏକ ଦକ୍ଷ ଦଳ ତିଆରି କରିବା ସହ ଟିମ୍ କମ୍ବିନେସନ୍ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି । ଟାଇଟଲ୍ ଦାବିଦାର ଭାବେ ଗଣାଯାଉଥିବା ସତ୍ତ୍ୱେ ଗତବର୍ଷ ୟୁଏଇରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଆଶ୍ଚର୍ଯ୍ୟ ଜନକ ଭାବେ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବାଦ୍ ପଡ଼ିଥିଲା । ଯାହା ଫଳରେ ଟି୨୦ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଫେୟାରୱେଲ ମଧ୍ୟ ଫିକା ପଡ଼ିଯାଇଥିଲା ।

ଗତ ସଂସ୍କରଣରେ ଯେଉଁ ସବୁ ତ୍ରୁଟି ହୋଇଥିଲା ତାହା ସୁଧାରିବାକୁ ଭାରତ ଚାହୁଁଛି । ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ୧୬ରୁ ଟି୨୦ ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଭାରତ ବହୁ ଟି୨୦ ସିରିଜ୍ ଖେଳିବା କାର୍ଯ୍ୟକ୍ରମ ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଆଇପିଏଲ୍ ଚାମ୍ପିୟନ କରିବା ପରେ ରୋହିତଙ୍କ ଉପରେ ଏବେ ଜାତୀୟ ଦଳର ନେତୃତ୍ୱ ଭାର ରହିଛି । ରୋହିତଙ୍କ ଆଗରେ ଅନେକ ଚାଲେଞ୍ଜ ରହିଛି । ଦଳର ଓପନିଂ ସମସ୍ୟା ତନ୍ମଧ୍ୟରୁ ଅନ୍ୟତମ । ଏହାଛଡ଼ା ମିଡିଲ ଅର୍ଡର ପ୍ରହେଳିକା ଓ ବୋଲିଂ ରଣନୀତି ଭଳି ସମସ୍ୟାର ସମାଧାନ ରୋହିତ ଓ କୋଚ୍ ଦ୍ରାବିଡଙ୍କ ପ୍ରାଥମିକତା ରହିିଛି ।
ବିଶ୍ୱକପ୍ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ପାଇଁ ରୋହିତଙ୍କ ପାଖରେ ଅନେକ ବିକଳ୍ପ ବି ରହିଛି । କିଛି ଦିନ ତଳେ ଆଇପିଏଲ୍ ମେଗା ନିଲାମରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶନଙ୍କୁ ରୋହିତଙ୍କ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟିରେ କିଣିଥିଲା । କିଶନଙ୍କ ବ୍ୟତୀତ ବର୍ତ୍ତମାନର ଭାରତୀୟ ଦଳରେ ସ୍ଥାନ ପାଇଥିବା ୧୦ ଜଣ ଖେଳାଳି ଆଇପିଏଲ୍ ନିଲାମରେ ବିଭିନ୍ନ ଫ୍ରାଞ୍ଚାଇଜ୍ ସହ ମୋଟା ଅଙ୍କର ପାଉଣା ସହ ଚୁକ୍ତିବଦ୍ଧ ହୋଇଥିଲେ । କୋଲକାତା ନାଇଟ୍ ରାଇଡର୍ସକୁ ୧୨.୨୫ କୋଟିରେ ବିକ୍ରି ହୋଇଥିବା ଶ୍ରେୟସ ଆୟରଙ୍କ ସମେତ ହର୍ଷଲ ପଟେଲ (ଆରସିବି, ୧୦.୭୫ କୋଟି) ଏବଂ ଶାର୍ଦ୍ଦୁଲ ଠାକୁର (ଦିଲ୍ଲୀ କ୍ୟାପିଟାଲ୍ସ, ୧୦.୭୫ କୋଟି)ଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ ।
ଭାରତ ପାଇଁ ସର୍ବପ୍ରଥମ ଚ୍ୟାଲେଞ୍ଜ ହେଉଛି ଓପନିଂ ଯୋଡ଼ି । ହାମଷ୍ଟ୍ରିଂ ସମସ୍ୟା ଯୋଗୁଁ କେଏଲ୍ ରାହୁଲ ଟି୨୦ ସିରିଜରୁ ବାଦ୍ ପଡିଥିବାରୁ ରୋହିତଙ୍କ ଓପନିଂ ପାର୍ଟନର କିଏ ହେବ ଟିମ୍ ମ୍ୟାନେଜମେଣ୍ଟକୁ ତାର ଉତ୍ତର ଖୋଜିବାକୁ ପଡ଼ିବ । ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ରୋହିତଙ୍କ ସହ କିଶନ ଇନିଂସ୍ ଓପନ୍ କରିଥିଲେ । ତେବେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ରିଷଭ ପନ୍ତ ଓ ଶିଖର ଧାୱନଙ୍କୁ ମଧ୍ୟ ନିଜର ଓପନିଂ ପାର୍ଟନର କରି ରେହିତ ପରୀକ୍ଷା ନିରୀକ୍ଷା କରିଥିଲେ ।

କିଶନ ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ମହାରାଷ୍ଟ୍ରର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ ଓ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ମଧ୍ୟ ନିଜର ଓପନିଂ ପାର୍ଟନର କରିବାକୁ ରୋହିତଙ୍କ ପାଖରେ ବିକଳ୍ପ ଅଛନ୍ତି । ଗାଏକ୍ୱାଡ୍ ଚମତ୍କାର ଫର୍ମରେ ଅଛନ୍ତି । ତେବେ କରୋନା ସଂକ୍ରମିତ ହେବା ଯୋଗୁଁ ସେ ଦିନିକିଆ ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳି ପାରିନଥିଲେ । ଭେଙ୍କଟେଶ ଆୟର ମଧ୍ୟ ଆଇପିଏଲରେ କେକେଆର ପାଇଁ ଓପନର ଭାବେ ସଫଳତା ହାସଲ କରିଛନ୍ତି । ଗତ ଆଇପିଏଲରେ ୟୁଏଇରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ ଆୟର ଓପନର ଭାବେ ୧୨୫ ଷ୍ଟ୍ରାଇକ ରେଟ୍ ସହ ୩୨୦ ରନ୍ କରିଥିଲେ । ଗାଏକ୍ୱାଡ୍ ସେହି ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଓପନର ଭାବେ ଖେଳି ଟୁର୍ଣ୍ଣାମେଣ୍ଟର ଅଗ୍ରଣୀ ସ୍କୋରର ଭାବେ ପର୍ପଲ କ୍ୟାପ୍ ହାସଲ କରିଥିଲେ ।

ଫର୍ମ ପାଇଁ ସଂଘର୍ଷ କରୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ରୋହିତଙ୍କ ସହ ଓପନିଂ କରିପାରନ୍ତି । ଏହି ଦାୟିତ୍ୱ ସହ କୋହଲିଙ୍କୁ ମଧ୍ୟ ନିଜ ଫର୍ମ ଫେରି ପାଇବାକୁ ସୁଯୋଗ ପାଇବେ ବୋଲି ମନେ କରାଯାଉଛି । ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିପାରି ନାହାନ୍ତି । ଶେଷଥର ପାଇଁ ସେ ଇଡେନ୍ ଗାର୍ଡେନ୍ସରେ ହିଁ ୨୦୧୯ରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ ।

ଭାରତ ନିଜ ମଧ୍ୟକ୍ରମ ବ୍ୟାଟିଂ ସମସ୍ୟାର ବି ସମାଧାନ କରିବାକୁ ବ୍ୟଗ୍ର । ଚୂଡାନ୍ତ ଏକାଦଶରେ କିଶନଙ୍କ ସ୍ଥାନ ନିଶ୍ଚିତ ଥିବାବେଳେ କ୍ରମାଗତ କ୍ରିକେଟ ଖେଳି ଆସିଥିବା ରିଷଭ ପନ୍ତଙ୍କୁ ବିଶ୍ରାମ ଦେବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ଠିକ୍ ହେବ । ଏଭଳି ସ୍ଥଳେ ଚୂଡାନ୍ତ ଏକାଦଶରେ କିଶନଙ୍କ ସହ ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇ ପାରିବ । ଏ ଦୁହେଁ ଭଲ ଫର୍ମରେ ଥିବା ଦିନିକିଆ ସିରିଜରେ ଆଭାସ ମିଳିଥିଲା । ସୂର୍ଯ୍ୟକୁମାର ୧୦୪ ରନ୍ ସହ ଦିନିକିଆ ସିରିଜରେ ଅଗ୍ରଣୀ ସ୍କୋରର ହୋଇଥିଲେ । ଆୟର ତୃତୀୟ ଦିନିକିଆରେ ମ୍ୟାଚ୍ ବିଜୟୀ ୮୦ ରନ୍ କରିଥିଲେ । ଶାର୍ଦ୍ଦୁଲ, ଦୀପକ ଚହର ଓ ହର୍ଷଲ ପଟେଲଙ୍କୁ ନେଇ ଭାରତର ନିମ୍ନଭାଗ ବ୍ୟାଟିଂ ମଧ୍ୟ ସନ୍ତୁଳିତ ମନେ ହେଉଛି ।

ବୋଲିଂ ବିଭାଗରେ ଭାରତ ଦୁଇ ଜଣ ସ୍ପିନରଙ୍କୁ ଖେଳାଇବା ସମ୍ଭାବନା ରହିଛି । ୟୁଜବେନ୍ଦ୍ର ଚହଲ ଭାରତର ପ୍ରଥମ ପସନ୍ଦ ସ୍ପିନର ହୋଇଥିବା ବେଳେ ରବି ବିଷ୍ଣୋଇଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ କରିବାକୁ ସୁଯୋଗ ମିିଳିପାରେ ।

ଦିନିକିଆ ସିରିଜରେ ମୂଳପୋଛ ହେବା ପରେ କାଇରନ୍ ପୋଲାର୍ଡଙ୍କ ୱେଷ୍ଟଇଣ୍ଡିଜ୍ ଦଳ ଟି୨୦ରେ ଉନ୍ନତ ପ୍ରଦର୍ଶନ ସହ ପ୍ରତିଶୋଧ ନେବାକୁ ଚାହିଁବ । ଟି୨୦ରେ ୱେଷ୍ଟଇଣ୍ଡିଜ୍ ଏକ ବିପଜ୍ଜନକ ଦଳ ଭାବେ ପରିଚିତ । ଭାରତ ବିପକ୍ଷ ଏହି ସିରିଜ ପୂର୍ବରୁ ଘରୋଇ ମାଟିରେ ପୋଲାର୍ଡଙ୍କ ଦଳ ଶକ୍ତିଶାଳୀ ଇଂଲଣ୍ଡକୁ ୩-୨ରେ ହରାଇଥିଲା ।

Comments are closed.