ଗୁଇନ୍ଦା ବିଭାଗର ଆଲର୍ଟ, ସୀମାରେ ବଢ଼ୁଛି ଆତଙ୍କବାଦୀ ଗତିବିଧି, ଜାମ୍ମୁ କାଶ୍ମୀରରେ ହୋଇପାରେ ଆକ୍ରମଣ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନରେ ବଳପୂର୍ବକ କ୍ଷମତା ଦଖଲ କରିବା ପରେ ଭାରତ-ପାକ୍ ସୀମାରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ସମ୍ପର୍କରେ ସୂଚନା ପାଇବା ପରେ ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଦେଶର ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି। ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସିଙ୍କ ଜଣାଇ ଦିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଅଗଷ୍ଟ ତୃତୀୟ ସପ୍ତାହରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ଏବଂ ତାଲିବାନ ନେତାଙ୍କ ମଧ୍ୟରେ କାନ୍ଦାହାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ବିଷୟରେ ଜାଣିବା ପରେ ସମସ୍ତ ଗୁପ୍ତଚର ସଂସ୍ଥାକୁ ହାଇ ଆଲର୍ଟ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ତାଲିବାନ ନେତାଙ୍କ ଏକ ଦଳ ଏହି ବୈଠକରେ ଭାଗ ନେଇଥିଲେ। ଏହି ବୈଠକରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ଭାରତ ବିରୋଧରେ କାର୍ଯ୍ୟକଳାପ ପାଇଁ ତାଲିବାନର ସମର୍ଥନ ଲୋଡିଛି।

ପାକିସ୍ତାନର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି- ସୋସିଆଲ ମିଡିଆରେ ତୀକ୍ଷ୍ଣ ନଜର ରଖିବାକୁ ଆମେ ଗୁଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛୁ। ୨୪ ଅଗଷ୍ଟରେ ପାକିସ୍ତାନରୁ ଦୁଇ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ଆମେ ଗୁଇନ୍ଦା ସୂଚନା ପାଇଥିଲୁ। ଏହି ଆତଙ୍କବାଦୀମାନେ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ଯୋଜନା କରୁଛନ୍ତି। ନିଜ ମଧ୍ୟରେ ଏହି ସୂଚନା ସେୟାର କରିବା ପାଇଁ ସଂପୃକ୍ତ ସମସ୍ତ ଏଜେନ୍ସିମାନଙ୍କୁ ଆଲର୍ଟ ଜାରି କରାଯାଇଛି | ବର୍ତ୍ତମାନ ସମସ୍ତ ରାଜ୍ୟ ତଥା କେନ୍ଦ୍ରର ଆତଙ୍କବାଦ ବିରୋଧୀ ୟୁନିଟ୍ ମାନଙ୍କୁ ହାଇ ଆଲର୍ଟ କରାଯାଇଛି।

Comments are closed.