ଟି-୨୦ ବିଶ୍ୱକପ୍ ପାଇଁ ଏପ୍ରିଲ୍ ଶେଷ ସପ୍ତାହରେ ହୋଇପାରେ ଭାରତୀୟ ଦଳ ଚୟନ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଦଳ ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବା ସମ୍ଭାବନା ରହିଛି। କାରଣ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ମେ ୧କୁ ଦଳ ତାଲିକା ଦାଖଲର ସମୟସୀମା ରଖିଛି ଆଇସିସି । ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ଶନିବାର ଏହି ସୂଚନା ମିଳିଛି ।

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳ ମେ ୨୫ ପର୍ଯ୍ୟନ୍ତ ନିଜ ପ୍ରାରମ୍ଭିକ ଦଳରେ ପରିବର୍ତ୍ତନ କରିବାକୁ ସୁଯୋଗ ପାଇବେ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏପ୍ରିଲ ଶେଷ ସପ୍ତାହରେ ଭାରତୀୟ ଦଳ ଚୟନ କରାଯିବ । ଏହି ସମୟ ସୁଦ୍ଧା ଆଇପିଏଲର ପ୍ରଥମ ଭାଗ ଶେଷ ହୋଇଥିବ, ଯାହା ଦ୍ବାରା ଜାତୀୟ ଚୟନ କମିଟି ଦାବିଦାର ଖେଳାଳିଙ୍କ ଫର୍ମ ଓ ଫିଟନେସ୍ ଆକଳନ କରିବା ସ୍ଥିତିରେ ରହିବ ।

ସୂତ୍ରରୁ ପ୍ରକାଶ, “ଆଇପିଏଲର ଲିଗ୍ ପର୍ଯ୍ୟାୟ ମେ ୧୯ରେ ଶେଷ ହେବା ପରେ କ୍ରିକେଟରଙ୍କ ପ୍ରଥମ ବ୍ୟାଚ୍ ଖୁବ୍ ଶୀଘ୍ର ନ୍ୟୁୟର୍କ ଯିବେ। ଯେଉଁ ଖେଳାଳିଙ୍କ ଦଳ ଟୁର୍ଣ୍ଣାମେଣ୍ଟର ଅନ୍ତିମ-୪ ପାଇଁ ଯୋଗ୍ୟତା ଅର୍ଜନ କରୁନାହାଁନ୍ତି ସେମାନେ ମଧ୍ୟ ଶୀଘ୍ର ଆମେରିକା ଯିବେ ।

ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍ । କିଛି ରିଜର୍ଭ ଖେଳାଳି ମଧ୍ୟ ମୁଖ୍ୟ ଦଳ ସହ ଯାତ୍ରା କରିବେ ବୋଲି ଆଶା କରାଯାଉଛି । କାରଣ ମୁଖ୍ୟ ଦଳର କୌଣସି ଖେଳାଳି ଆହତ ହେଲେ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଓହରିଲେ, ରିଜର୍ଭ ଖେଳାଳି ସେମାନଙ୍କ ସ୍ଥାନ ନେବେ। ଯେପରି କୌଣସି ‘ଲଜିଷ୍ଟିକ୍’ ସମସ୍ୟା ନ ହୁଏ ସେଥିପାଇଁ ରିଜର୍ଭ ଖେଳାଳିଙ୍କୁ ମୁଖ୍ୟ ଦଳ ସହିତ ପଠାଯିବ ।

ସମସ୍ତ ଚାରି ଜଣ ଜାତୀୟ ଚୟନକର୍ତ୍ତା ଟି-୨୦ ବିଶ୍ୱକପର ଅଧିକାଂଶ ମ୍ୟାଚ୍ ଦେଖିବା ପାଇଁ ଯାତ୍ରା କରିବେ । ବିଶ୍ୱକପ ପାଇଁ କୌଣସି ଦାବିଦାରଙ୍କୁ କାର୍ଯ୍ୟଭାର ପରିଚାଳନା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିବା ଜଣାପଡ଼ିଛି । କାରଣ ଏହି ଦୁଇ ମାସ ସେମାନେ ନିଜ ଫ୍ରାଞ୍ଚାଇଜ୍ ଅଧୀନରେ ଖେଳିବେ ।

Comments are closed.