ଅସୁସ୍ଥତା ଯୋଗୁଁ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଛାତ୍ରଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଗତକାଲି ଖାରକିଭ ସହରରେ ରୁଷ ମିସାଇଲ ମାଡ଼ରେ ନବୀନ ନାମକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଆଜି ଆଉ ଜଣେ ଭାରତୀୟ ଛାତ୍ର ଅସୁସ୍ଥତା କାରଣରୁ ପ୍ରାଣ ହରାଇଛନ୍ତି । ପଞ୍ଜାବର ବାର୍ନାଲାର ଛାତ୍ର ଚନ୍ଦନ ଜିନ୍ଦଲଙ୍କ ମସ୍ତିଷ୍କାଘାତ ଯୋଗୁଁ ମୃତ୍ୟୁ ହୋଇଛି। ଫେବୃଆରୀ ୨ ତାରିଖ ରାତିରେ ମସ୍ତିଷ୍କାଘାତ ଓ ହୃଦଘାତ ପରେ ଚନ୍ଦନ କୋମାରେ ପଡ଼ି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବା ପାଇଁ ଚନ୍ଦନଙ୍କ ପରିବାର ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ବର୍ଣ୍ଣାଲା ସରକାରୀ ଡାକ୍ତରଖାନାର ଫାର୍ମାସିଷ୍ଟ ଶିଶାନ ଜିନ୍ଦଲଙ୍କ ପୁଅ ଚନ୍ଦନ ୨୦୧୮ ରେ ଏମବିବିଏସ୍ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ । ଚନ୍ଦନ ଭିନିଷ୍ଟିଆ ସହରର ନ୍ୟାସନାଲ ପିରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ପଢୁଥିଲେ | ଫେବୃଆରୀ ୨ ତାରିଖ ରାତିରେ ହଠାତ୍ ହୃଦଘାତ ଏବଂ ମସ୍ତିଷ୍କାଘାତ ଯୋଗୁଁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଫେବୃଆରୀ ୪ ରେ ଡାକ୍ତରମାନେ ତାଙ୍କର ଅପରେସନ୍ କରିଥିଲେ, କିନ୍ତୁ ସେ କୋମାକୁ ଚାଲିଗଲେ। ଆଜି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

କିଛି ଦିନ ତଳେ ତାଙ୍କ ପିତା ଶିଶନ ଏବଂ ମଉସା କୃଷ୍ଣ କୁମାର ପୁଅ ଚନ୍ଦନଙ୍କ ଯତ୍ନ ନେବା ପାଇଁ ୟୁକ୍ରେନରେ ପହଞ୍ଚିଥିଲେ। ଯୁଦ୍ଧ ଯୋଗୁଁ ସେମାନେ ସେଠାରେ ଅଟକି ରହିଥିଲେ | ଦୁଇ ଦିନ ତଳେ କୃଷ୍ଣ କୁମାର ନିଜ ସହର ବାର୍ନାଲାକୁ ଫେରି ଆସିଥିଲେ | ଚନ୍ଦନଙ୍କ ପିତା ସେଠାରେ ଫସି ରହିଛନ୍ତି। ପୁଅର ମୃତ୍ୟୁ ପରେ ତାଙ୍କ ପିତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏହି ଖବର ଶୁଣି ମାତା କିରଣ ଏବଂ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ବେଶ୍ ଚିନ୍ତାରେ ଅଛନ୍ତି ।

Comments are closed.