ୟୁକ୍ରେନ ସଙ୍କଟ: ତୁରନ୍ତ ଖାରକିଭ୍ ଛାଡିବାକୁ ନିଜ ନାଗରିକଙ୍କୁ କହିଲା ଭାରତ

କିଭ୍: ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାରକିଭ୍ ସହରରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆଡଭାଇଜରୀ ଜାରି କରିଛନ୍ତି। ଦୂତାବାସ ଏହାର ଟୁଇଟରେ ଭାରତୀୟ ନାଗରିକମାନଙ୍କୁ ନିଜ ସୁରକ୍ଷା ପାଇଁ ତୁରନ୍ତ ଖାରକିଭ୍ ଛାଡିବାକୁ ପରାମର୍ଶ ଦେଇଛି। ଭାରତୀୟ ଦୂତାବାସ ନାଗରିକମାନଙ୍କୁ ଯଥାଶୀଘ୍ର ପେସୋଚିନ, ବିବାୟେ ଏବଂ ବେଜେଲ୍ୟୁଡୋକଭା ଆଡକୁ ଯିବା ପାଇଁ କହିଛନ୍ତି। ଦୂତାବାସ କହିଛି, ଯେକୌଣସି ପରିସ୍ଥିତିରେ ୟୁକ୍ରେନ ସମୟ ଅନୁଯାୟୀ ଭାରତୀୟ ନାଗରିକମାନେ ସନ୍ଧ୍ୟା ୬ଟା ସୁଦ୍ଧା ଏହି ଅଞ୍ଚଳରେ ପହଞ୍ଚିବା ଉଚିତ୍।

ଦିନକ ପୂର୍ବରୁ ଖାରକିଭ୍ ରୁଷ ସେନାର ମିସାଇଲ ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକର ନବୀନ ନିକଟସ୍ଥ ଏକ ଦୋକାନରେ ସପିଂ କରିବାକୁ ଯାଇଥିବା ବେଳେ ମିସାଇଲ ମାଡ଼ରେ ପ୍ରାଣ ହରାଇଥିଲେ। ୟୁକ୍ରେନର ଏହି ଦ୍ବିତୀୟ ବୃହତ୍ତମ ସହର ଉପରେ ରୁଷ୍ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ।

ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଭାରତ ସରକାର ଜାରି ରଖିଛନ୍ତି । ଏହି ଅଭିଯାନରେ ବାୟୁସେନା ମଧ୍ୟ ନିୟୋଜିତ ଅଛି | ଏବେ ମଧ୍ୟ ବହୁ ସଂଖ୍ୟକ ଭାରତୀୟ ନାଗରିକ ୟୁକ୍ରେନରେ ଫସି ରହିଛନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି ।

Comments are closed.