ସରକାରଙ୍କ ମିଛ ପର୍ଦ୍ଦାଫାସ୍ କରିବା ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ: ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ସରକାରଙ୍କ ମିଛ ଲୋକଙ୍କ ସାମ୍ନାକୁ ଆଣିବା ହେଉଛି ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କୁ ଉତ୍ତରଦାୟୀ କରିବା ଓ ମିଥ୍ୟା ଖବରର ପ୍ରସାର ରୋକିବା ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ।

ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ସାମ୍ପ୍ରତିକ ସ୍ଥିତିରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ତଥ୍ୟ ପାଇଁ ସରକାରଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ନ ହେବାକୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସମ୍ବନ୍ଧୀୟ ଭୁଲ୍ ତଥ୍ୟର ଉଦାହରଣ ଦେଇଥିଲେ ।

ଜଷ୍ଟିସ୍ ଏମ୍‌ସି ଚଗଲା ସ୍ମାରକୀ ବକ୍ତୃତାମାଳାକୁ ସମ୍ବୋଧିତ କରି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ସତ ଖବର ଓ ସୂଚନା ପାଇଁ ସରକାରଙ୍କ ଉପରେ ନିର୍ଭର କରିବା ଠିକ୍ ନୁହେଁ । ନିରଙ୍କୁଶ କ୍ଷମତା ସମ୍ପନ୍ନ ସରକାର ନିଜ ସ୍ଥିତି ସୁଦୃଢ଼ କରିବା ପାଇଁ ମିଛ ଖବର ଉପରେ ନିର୍ଭର କରିଥାନ୍ତି । ଆମେ ଦେଖୁଛୁ ବିଶ୍ୱର ବିଭିନ୍ନ ଦେଶରେ କିପରି କୋଭିଡ୍‌-୧୯ ତଥ୍ୟ ଲୁଚାଇବାକୁ ଉଦ୍ୟମ ଚାଲିଛି ।

ଫେକ୍ ନ୍ୟୁଜ୍ ତଥା ମିଛ ଖବରକୁ ସାମ୍ପ୍ରତିକ ସମୟରେ ଏକ ବଡ଼ ବିପଦ ବୋଲି କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ । ସାମ୍ପ୍ରତିକ ସମୟରେ ଫେକ୍ ନ୍ୟୁଜ୍ ବଢ଼ିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ସ୍ୱୀକାର କରି ଏହାକୁ ‘ଇନ୍‌ଫୋଡେମିକ୍‌’ ଭାବେ ଅଭିହିତ କରିଛି । ଅତିରଞ୍ଜିତ ଖବର ପ୍ରତି ଆକୃଷ୍ଟ ହେବା ମଣିଷର ଦୁର୍ବଳତା ରହିଆସିଛି । ଗଣମାଧ୍ୟମ ନିଜର ନିରପେକ୍ଷତା ବଜାୟ ରଖିବା ଉଚିତ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ।

Comments are closed.