ପ୍ରଫେଟ୍ ବିବାଦ: ଅଲ୍ କାଏଦା ପରେ ଭାରତ ଉପରେ ଆକ୍ରମଣ ନେଇ ଇସଲାମିକ୍ ଷ୍ଟେଟର ଧମକ

ନୂଆଦିଲ୍ଲୀ:ପ୍ରଫେଟ୍ ମହମ୍ମଦଙ୍କ ଉପରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଇସଲାମିକ୍ ଷ୍ଟେଟ୍ ଏକ ବୁଲେଟିନ୍ ଜାରି କରିଛି। ଏହି ବୁଲେଟିନ୍‌ରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରୋଭିନ୍ସ (ଆଇଏସକେପି) ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି।

ଏହି ପ୍ରସଙ୍ଗରେ ଆଇଏସକେପି ଏହାର ମୁଖପତ୍ର ଅଲ ଆଜାଇମ ଫାଉଣ୍ଡେସନ ମାଧ୍ୟମରେ ଏକ ବୁଲେଟିନ୍ ଜାରି କରିଛି | ଏହି ବୁଲେଟିନ୍‌ରେ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଭିଡ଼ିଓ ରହିଛି। ଏହାଛଡ଼ା ଏଥିରେ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଲୋକମାନଙ୍କର ଘର ବୁଲଡୋଜର ଦ୍ବାରା ଭଙ୍ଗାଯିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସଲାମିକ ଷ୍ଟେଟର ଭାରତୀୟ ଆତ୍ମଘାତୀଙ୍କ କିଛି ଭିଜୁଆଲ୍ ମଧ୍ୟ ରହିଛି। ଭାରତରେ ଯେଉଁଠି ସମ୍ଭବ ଆକ୍ରମଣ କରାଯିବ ବୋଲି ଏହି ବୁଲେଟିନ ରେ କୁହାଯାଇଛି ।

‘ଦି ଖୋରାସାନ୍ ଡାଏରୀ’ ନାମକ ଏକ ନ୍ୟୁଜ୍ ପ୍ଲାଟଫର୍ମର ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ସେୟାର କରାଯାଇଛି।
ଏହା ହେଉଛି ଆଇଏକେପିର ପ୍ରଥମ ବୁଲେଟିନ୍, ଯେଉଁଥିରେ ଭାରତ ଏବଂ ଇସଲାମର ଅସମ୍ମାନ ପ୍ରସଙ୍ଗ ଉପରେ ଫୋକସ କରାଯାଇଛି |

ଖୋରାସାନ ଡାଏରୀ ଅନୁଯାୟୀ ଏହି ଭିଡିଓରେ କୂଟନୈତିକ ସ୍ତରରେ ଭାରତ ସହ ସମ୍ପର୍କ ବ୍ୟାପକ କରିଥିବାରୁ ତାଲିବାନକୁ ସମାଲୋଚନା କରାଯାଇଛି। ଆଫଗାନିସ୍ତାନର ତାଲିବାନ ସରକାରରେ କାର୍ଯ୍ୟରତ ପ୍ରତିରକ୍ଷା ମନ୍ତ୍ରୀ ମଲ୍ଲିକ ୟାକୋବ ମଧ୍ୟ ଏକ ଭାରତୀୟ ଚ୍ୟାନେଲକୁ ସାକ୍ଷାତକାର ଦେବା ଏବଂ କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକିଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଭେଟିବା ପାଇଁ ଟାର୍ଗେଟ କରାଯାଇଛି ।

ପ୍ରଫେଟ୍ ମହମ୍ମଦ ବିବାଦ ନେଇ ଗତ ସପ୍ତାହରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଭାରତର ପ୍ରମୁଖ ସହରରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଥିଲା ।

Comments are closed.