ଓସ୍କାର ପୁରସ୍କାର ପାଇଁ ମାଲାୟଲମ ଫିଲ୍ମ ‘ଜାଲ୍ଲିକଟୁ’ ଭାରତର ଅଫିସିଆଲ ଏଣ୍ଟ୍ରି

ନୂଆଦିଲ୍ଲୀ – ମାଲାୟଲମ ଫିଲ୍ମ ‘ଜାଲ୍ଲିକଟୁ’କୁ ଏଥର ଓସ୍କାର ପୁରସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି । ଲିଜୋ ଜୋଶ ପେଲିସେରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୧୯ରେ ରିଲିଜ୍ ହୋଇଥିଲା । ଆଣ୍ଟୋନି ଭର୍ଘିଜ୍‌, ଚେମ୍ବାନ ବିନୋଦ ଜୋଶ ଓ ସମୁମୋନ ଅବଦୁସମଦଙ୍କ ଅଭିନୀତ ଏହି ମାଲାୟମଲମ ଫିଲ୍ମ ସିନେପ୍ରେମୀ ଓ ସମୀକ୍ଷକଙ୍କ ଦ୍ୱାରା ବେଶ୍ ଆଦୃତ ହେବା ସହ ବକ୍ସଅଫିସ୍ ହିଟ୍ ହୋଇଥିଲା ।

‘ଜାଲ୍ଲିକଟୁ’ ସହ ଏଥର ୨୭ଟି ଫିଲ୍ମ ଓସ୍କାର ଦୌଡ଼ରେ ଥିଲେ । ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ‘ଗୁଲବୋ ସିତାବୋ, ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ‘ବୁଲବୁଲ୍‌’, ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ‘ଦି ସ୍କାଏ ଇଜ୍ ପିଙ୍କ୍‌’, ନୱାଜୁଦ୍ଦିନ ସିଦ୍ଦିକିଙ୍କ ‘ସିରିୟସ ମେନ୍‌’ ଏବଂ ‘ଗୁଞ୍ଜନ ସକ୍ସେନା’ ଭଳି ଫିଲ୍ମ ଚଳିତ ଥର ଓସ୍କାରକୁ ପଠାଇବା ପାଇଁ ଚୟନ କରାଯାଇଥିଲା । ହେଲେ ଏହି ସବୁ ଫିଲ୍ମକୁ ପଛରେ ପକାଇ ‘ଜାଲ୍ଲିକଟୁ’ ଭାରତର ଅଫିସିଆଲ୍ ଓସ୍କାର ଏଣ୍ଟ୍ରି ଭାବେ ମନୋନୀତ ହୋଇଛି । ଗତବର୍ଷ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ହିଟ୍ ଫିଲ୍ମ ‘ଗଲିବଏ’ ଭାରତର ଓସ୍କାର ଏଣ୍ଟ୍ରି ଥିଲା । ହେଲେ ଏହି ଫିଲ୍ମ ଓସ୍କାରର ଶ୍ରେଷ୍ଠ ବିଦେଶୀ ଫିଲ୍ମ ବର୍ଗ ଲାଗି ଚୂଡାନ୍ତ ତାଲିକାରୁ ବାଦ୍ ପଡିଥିଲା ।

ଦକ୍ଷିଣ କୋରିଆର ଫିଲ୍ମ ‘ପାରାସାଇଟ୍‌’ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ଗତଥର ଓସ୍କାର ପୁରସ୍କାର ପାଇଥିଲା । ଏହି ଫିଲ୍ମ ମଧ୍ୟ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିଲା । ପ୍ରଥମ ଥର ଏକ ଅଣ ଇଂରାଜୀ ଫିଲ୍ମ ଭାବେ ‘ପାରାସାଇଟ୍‌’ ଶ୍ରେଷ୍ଠ ଫିଲ୍ମ ପାଇଁ ଓସ୍କାର ଜିତି ଇତିହାସ ରଚିଥିଲା ।

Comments are closed.