ଗୁଜୁରାଟ ଟାଇଟନ୍ସକୁ ଝଟକା, ଆଇପିଏଲ୍-୨୦୨୨ରୁ ଓହରିଲେ ଜେସନ୍ ରୟ

ନୂଆଦିଲ୍ଲୀ: ଇଂଲଣ୍ଡ ଓପନର୍ ଜେସନ୍ ରୟ ଆଇପିଏଲ୍ ୨୦୨୨ ରୁ ଆଉଟ୍ ହୋଇଛନ୍ତି। ସେ ଏଥର ଗୁଜୁରାଟ ଟାଇଟାନ୍ସ ଦଳର ଅଂଶ ଥିଲେ। ବାୟୋ ବବଲରେ ଚାପ ଦର୍ଶାଇ ରୟ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି | ସେ ଗତ ସପ୍ତାହରେ ଫ୍ରାଞ୍ଚାଇଜିଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଗୁଜୁରାଟ ଦଳ ତାଙ୍କ ବିକଳ୍ପ ଘୋଷଣା କରିନାହିଁ। ନିଲାମରେ ଗୁଜୁରାଟ ଦୁଇ କୋଟିର ବେସ୍ ପ୍ରାଇସ୍ ରେ ଜେସନ ରୟଙ୍କୁ କିଣିଥିଲା | ଦ୍ୱିତୀୟ ଥର ପାଇଁ ଜେସନ ରୟ ଆଇପିଏଲରୁ ଓହରି ଯାଇଛନ୍ତି। ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧.୫ କୋଟି ଟଙ୍କା ମୂଲ୍ୟରେ ନେଇଥିଲା । କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଓହରି ଯାଇଥିଲେ |

ମାର୍ଚ୍ଚ ୨୬ ରୁ ଆଇପିଏଲ୍ ୨୦୨୨ ଆରମ୍ଭ ହେବ ଏବଂ ଟୁର୍ନାମେଣ୍ଟର ଫାଇନାଲ୍ ମେ ୨୯ ରେ ଖେଳାଯିବ | ଲିଗ୍ ପର୍ଯ୍ୟାୟର ସମସ୍ତ ୭୦ ଟି ମ୍ୟାଚ୍ ମହାରାଷ୍ଟ୍ରରେ ଖେଳାଯିବ | ମୁମ୍ବାଇରେ ୫୫ ଟି ଏବଂ ପୁଣେରେ ୧୫ ଟି ମ୍ୟାଚ୍ ଅନୁଷ୍ଠିତ ହେବ | ଆଜି ଆଇପିଏଲର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯିବା ସମ୍ଭାବନା ରହିଛି |

Comments are closed.